ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ଦେଖାଇବ ଦମ। ଉତ୍ତରପ୍ରଦେଶର ମିରଠରେ ଆଜି ଓ କାଲି ରଣକୌଶଳ ପ୍ରଦର୍ଶନ କରିବ ବାୟୁସେନାର ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍। ଏହି ଏୟାର ଶୋ’ରେ ସାମିଲ ହେବେ ୯ଟି Hawk Mk-132 ଏୟାରକ୍ରାଫ୍ଟ। ମିରଠର ପ୍ରତାପପୁର ଅଞ୍ଚଳ ଅନ୍ତର୍ଗତ ମୋହିଉଦ୍ଦିନପୁରର ନ୍ୟୁ ଇଣ୍ଟିଗ୍ରେଟେଡ୍ ଟାଉନସିପ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୋ’ ଦେଖିବା ପାଇଁ ହଜାର ହଜାର ଦର୍ଶକ ଯୋଗଦେବାର ସମ୍ଭାବନା ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନାସିକସ୍ଥିତ ଏୟାରଫୋର୍ସ ବେସ୍ ରିପେୟାର ଡିପୋ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ରଙ୍ଗର ସ୍ମୋକ୍ ବ୍ୟବହାର କରି ଆକାଶରେ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିବ ଟିମ୍। ଏହି କାର୍ଯ୍ୟକ୍ରମରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ।

