ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଳ ସପ୍ତମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନିକଟରେ କେକେଶି ବଧପ୍ରସ୍ତାବ ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ନୀତି ପରେ କାଳିକାଦେବୀ ସାହି ପକ୍ଷରୁ କେକେଶି ବଧପ୍ରସ୍ତାବ ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ସହ ଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ପ୍ରାପ୍ତି କରି ନାଟ ମଣ୍ଡପ ସ୍ଥିତ ଖଟ ଉପରକୁ ବିଜେ କରିବେ। ପରେ ପ୍ରଭୁଙ୍କର ଛାମୁରେ କାଳିକାଦେବୀ ସାହି ଲୋକ କେକେଶି ବଧ ପ୍ରସ୍ତାବ କରିବେ। ଦ୍ୱାପର ଯୁଗର କଥା ଅନୁସାରେ କେକେଶି ରାକ୍ଷସକୁ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବାକୁ ପଠାଇଥିଲେ। ଭିନ୍ନ ଭିନ୍ନ ରୂପ ଧାରଣ କରି ଭଗବାନ ଶ୍ରୀକୃଷ୍ଣ ଙ୍କୁ କେକଶୀ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଭଗବାନ ଶ୍ରୀକୃଷ୍ଣ ତାର ପ୍ରକୃତ ରୂପ ଜାଣିପାରି ତାକୁ ହତ୍ୟା କରିଥିଲେ । ସେହି ସ୍ମୃତି ରେ କାଳିକାଦେବୀ ସାହିରୁ କେକେଶି ବଧ ଲୀଳା କରିବା ପାଇଁ ଜଣେ ବେଶ ହୋଇ ସ୍ୱତନ୍ତ୍ର ଭାବରେ ଉପସ୍ଥିତ ହୁଅନ୍ତି। ନାଟମଣ୍ଡପରେ ଉପସ୍ଥିତ ହେଲା ପରେ ପ୍ରଭୁଙ୍କ ଶୀତଳ ଭୋଗ ଓ ବନ୍ଦାପନା କରାଯାଇଥାଏ ।

