ନନ୍ଦିଘୋଷ ବ୍ୟୁରୋ : ବିଳମ୍ବିତ ରାତିରେ କମ୍ବଳ ଘୋଡ଼ାଇ ଆସିଲା ଦୁର୍ବୃତ୍ତ। ପେଟ୍ରୋଲ ଢାଳି ଦୁଇଟି ଦୋକାନ ଓ ଏକ କାରରେ ନିଆଁ ଲଗାଇ ଦୌଡ଼ି ପଳାଇଲା। ଏଭଳି ଘଟଣା ଘଟିଛି ଅନୁଗୋଳ ପଞ୍ଚମହଲା ନିକଟରେ। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି। ଅନୁଗୋଳ ପଞ୍ଚମହଲା ଠାରେ କୁମୁଦ ନାଏକଙ୍କ ଦୋକାନରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ସିସିଟିଭି ଫୁଟେଜ୍ରେ ଦେଖାଯାଉଛି, ଦୁର୍ବୃତ୍ତ ଜଣକ କମ୍ବଳ ଘୋଡ଼ାଇ ଆସି କୁମୁଦଙ୍କ ଦୋକାନ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଦୌଡ଼ି ପଳାଉଛି।
କୁମୁଦଙ୍କ ଦୋକାନରେ ନିଆଁ ହୁହୁ ହୋଇ ଜଳିବା ସହ ପାଖରେ ଥିବା ସାଗର ସାହୁଙ୍କ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏଥିସହ ପାଖରେ ଥିବା ଏକ ଗ୍ୟାରେଜକୁ ମରାମତି ପାଇଁ ଆସିଥିବା କାରଟି ମଧ୍ୟ ନିଆଁ କବଳରେ ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ଉଭୟଙ୍କ ଦୋକାନ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି।

