ନନ୍ଦିଘୋଷ ବ୍ୟୁରୋ : ଜନ୍ମାଷ୍ଟମୀ ଠାରୁ ପୁରୀ ଶ୍ରୀମନ୍ଦିରରେ ଚାଲିଛି କୃଷ୍ଣଲୀଳା । ଏହି ଲୀଳାକ୍ରମରେ ଆଜି ଶ୍ରୀମନ୍ଦିରରେ ଅନ୍ଧ ହାତୀ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବେ । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ ।ସେଠାରେ ଅନ୍ଧହସ୍ତୀ ଲୀଳା ପ୍ରସ୍ତାବ ଆଗତ ହେବ । ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ଏହି ଦିବ୍ୟ ଲୀଳାକୁ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

