ନନ୍ଦିଘୋଷ ବ୍ୟୁରୋ : କଟକ ଦୁର୍ଗାପୂଜା ପାଇଁ ପାଖେଇ ଆସିଲାଣି ସମୟ । ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ଗୁଡିକୁ ପୂଜା ପୂର୍ବରୁ ବିଭିନ୍ନ ବିଭାଗଠାରୁ ଅନୁମତି ବା ପ୍ରମାଣପତ୍ର ପତ୍ର ଆଣିବାକୁ ନିର୍ଦ୍ଦେଶ । ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପୂଜା ପାଳନ ପାଇଁ ଏ ସବୁର ଆବଶ୍ୟକତା ରହିଛି । ପୂଜା ପେଣ୍ଡାଲ ନିର୍ମାଣ ପାଇଁ ଆରଏଣ୍ଡବି ଠାରୁ ପ୍ରମାଣପତ୍ର, ଅଗ୍ନୀଶମ ବିଭାଗ ଠାରୁ ଅଗ୍ନୀ ନିରାପତ୍ତା ପ୍ରମାଣପତ୍ର, ଟିପିସିଓଡିଏଲଠାରୁ ବିଦ୍ୟୁତ ପ୍ରମାଣପତ୍ର ନେବାକୁ କୁହାଯାଇଛି । ଏ ସବୁ ଅନୁମତି ଟିକେ କଷ୍ଟକର ଓ ସମୟ ସାପେକ୍ଷ। ଏଥି ସହିତ ବିଭିନ୍ନ ସ୍ଥାନ ବୁଲି ପ୍ରମାଣପତ୍ର ହାସଲ ଟିକେ ଜଟିଳ ପ୍ରକ୍ରିୟା । ଏଥି ସହିତ ପୂଜା ମଣ୍ଡପ ଗୁଡିକ ପୂଜା ପୂର୍ବ ରୁ ଯେଉଁ ଅଗ୍ରୀମ ଅର୍ଥ ବିଦ୍ୟୁତ ଦେୟ ଭାବେ ଟିପିସିଓଡିଏଲ ପାଖରେ ଜମା କରୁଛନ୍ତି, ସେ ସଂପର୍କରେ ପୂଜା ପରେ ବଳକା ଟଙ୍କା ଫେରା ଯାଉନି କି ଅତିରିକ୍ତ ଟଙ୍କା ନିଆ ଯାଉନି । ଯାହାକୁ ନେଇ କମିଟି ଗୁଡିକ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ଏ ସବୁ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଏକ ବୈଠକ ଡକାଯାଇ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ପୂଜା ମଣ୍ଡପ ଗୁଡିକୁ ତ୍ବରିତ ଅନୁମତି ଦେବାକୁ ସ୍ଥିର କରାଯାଇଛି । ଏଥିରେ ସମସ୍ତ ସମ୍ପୃକ୍ତ ବିଭାଗର ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରି ପୂଜା କମିଟିଗୁଡ଼ିକର ଆବେଦନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦାରଖ କରି ନିଷ୍ପତ୍ତି ନେବାକୁ କୁହାଯାଇଛି । କଟକ ଜିଲ୍ଲାପାଳ କହିଛନ୍ତି ଯେ ଗତବର୍ଷ ଠାରୁ ପ୍ରକ୍ରିୟା ସରଳ କରାଯାଇଛି । ତେଣୁ ପୂଜା ମଣ୍ଡପ ଗୁଡିକ ପାଇଁ କିଛି ସମସ୍ୟା ହେବନି ବୋଲି କହିଛନ୍ତି ଜିଲ୍ଲାପାଳ ।
ପୂଜାକୁ ମାସେ ଥିବା ବେଳେ ଖୁବଶୀଘ୍ର ବାରବାଟୀ ପ୍ୟାଲେସଠାରେ ମଣ୍ଡପ ଗୁଡିକୁ ଅନୁମତି ଦେବା ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ବ୍ୟବସ୍ଥା ଖୋଲାଯିବ

