ନନ୍ଦିଘୋଷ ବ୍ୟୁରୋ : କୁତ୍ସିତ ପରମ୍ପରାରୁ କରୁଣ ପରିଣତି। ପାଠ ପଢ଼ିବା ବୟସରେ ଅନେକ ନାବାଳିକା ବନୁଛନ୍ତି ମା’। କେବେ ସରିବ କଟକ ଚଣ୍ଡୀ ମନ୍ଦିରର ନବୀକରଣ କାମ? ସାଢ଼େ ୩ ବର୍ଷ ହେଲାଣି, ହେଲେ ଏଯାଏଁ ସରିବାର ନାଁ ନେଉନି କାମ। ଏପଟେ ପାଖେଇ ଆସିଲାଣି ମାଆଙ୍କ ଷୋଡ଼ଶ ଉପଚାର ପୂଜା। ଆଗକୁ ନବରାତ୍ର ଥିବାରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବ। ହେଲେ ଅଧାଗଢ଼ା କାମକୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ଶ୍ରଦ୍ଧାଳୁ। କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀ। ପୂର୍ବ ସରକାରଙ୍କ ସମୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ନବୀକରଣ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ। ଏଥିପାଇଁ ପ୍ରାୟ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ହେଲେ ଦୀର୍ଘ ସାଢ଼େ ୩ ବର୍ଷ ପରେ ବି କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଉ ମାସକ ପରେ ମାଆଙ୍କ ଷୋଡ଼ଶ ଉପଚାର ତଥା ନବରାତ୍ର ପୂଜା। ଏହି ସମୟରେ ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। କିନ୍ତୁ ମନ୍ଦିରର ନବୀକରଣ କାମ ଅଧାଗଢ଼ା ହୋଇ ରହିଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମୁଖ୍ୟ ମନ୍ଦିରର କାମ ପ୍ରାୟ ସରି ଆସିଥିବା ବେଳେ ମଙ୍ଗଳା ମନ୍ଦିର, ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଓ ପାଚେରୀ କାମ ଏବେ ବି ଜାରି ରହିଛି। ତେଣୁ ପୂଜା ସମୟରେ ଏସବୁ କାମ ଶ୍ରଦ୍ଧାଳୁଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ନେଇ ମଧ୍ୟ ଆଶଙ୍କା ରହିଛି। ସେପଟେ କଟକ ଜିଲ୍ଲାପାଳ କହିଛନ୍ତି, ଠିକାଦାର ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ କାମ ଶୀଘ୍ର ଶେଷ କରିବା ପାଇଁ ବାରମ୍ବାର ତାଗିଦ କରାଯାଇଛି। ବର୍ତ୍ତମାନ କାମ ପ୍ରାୟ ସରି ଆସିଛି। ବେଢ଼ା, ପାଚେରୀ ଓ ଆଉ କିଛି ଘରର କାମ ଆସନ୍ତା ୩ ସପ୍ତାହ ମଧ୍ୟରେ ସରିବ। ଅକ୍ଟୋବର ୧ ତାରିଖ ସୁଦ୍ଧା ସମସ୍ତ କାମ ସମ୍ପୂର୍ଣ୍ଣ କରାଯାଇ ମନ୍ଦିରର ଉଦ୍ଘାଟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

