ନନ୍ଦିଘୋଷ ବ୍ୟୁରୋ : ମରଣଯନ୍ତା ପାଲଟିଛି ରାସ୍ତା। ଦିନକୁ ଦିନ ବଢୁଛି ଦୁର୍ଘଟଣା ଭୟ। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ଏନଏଚ୍-୫୭ର ଦୁରାବସ୍ଥା ଏବେ ଯାତ୍ରୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ରାସ୍ତା ସାରା ବଡ଼ ବଡ଼ ଖାଲ। କେଉଁଠି ମେଟାଲ ବାହାରି ପଡ଼ିଛି ତ ଆଉ କେଉଁଠି ଖାଲରେ ଜମି ରହିଛି ପାଣି। ଫଳରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଉଡୁଥିବା ଧୂଳିରେ ଯାତ୍ରୀ ଆକ୍ତାମାକ୍ତା ହେଉଥିବା ବେଳେ ରାସ୍ତାକଡ଼ରେ ବଢ଼ିଥିବା ଗଛଲତା ଦୃଶ୍ୟମାନତାକୁ ମଧ୍ୟ ପ୍ରଭାବିତ କରୁଛି। ଏହାସାଙ୍ଗକୁ ରାଜପଥ ଉପରେ ବେଆଇନ ପାର୍କିଂ ସମସ୍ୟାକୁ ଆହୁରି ଜଟିଳ କରୁଛି। ଫଳରେ ଏହି ରାସ୍ତାରେ ଦୁର୍ଘଟଣାର ଆଶଙ୍କା ବଢ଼ିବାରେ ଲାଗିଛି। ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚେକିଂ ଓ ସଚେତନତା ଅଭିଯାନ କରାଯାଉଛି। ଜିଲ୍ଲାର ୧୧ଟି ସ୍ଥାନକୁ ବ୍ଲାକ୍ସ୍ପଟ୍ ଭାବେ ଚିହ୍ନଟ ମଧ୍ୟ କରାଯାଇଛି। ତେବେ ଯେତେବେଳେ ରାସ୍ତା ନିଜେ ବିପଦର କାରଣ ପାଲଟିଛି, ସେତେବେଳେ କେବଳ ଚେକିଂ ଓ ସଚେତନତା ମାଧ୍ୟମରେ କେତେ ଦୁର୍ଘଟଣା ରୋକାଯାଇପାରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଦୁର୍ଘଟଣା ରୋକିବା ପାଇଁ ସଚେତନତା ସହ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ପରିବହନ ବିଭାଗ କହିଛି। ପ୍ରଶାସନ ମଧ୍ୟ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ପଦକ୍ଷେପ ନେଉଛି। କିନ୍ତୁ ଏନଏଚ୍-୫୭ର ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ଆବଶ୍ୟକ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହେଉଛି। ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ। ବାରମ୍ବାର ବୈଠକ ହେଉଥିଲେ ମଧ୍ୟ ରାସ୍ତାର ଚିତ୍ର ବଦଳୁନାହିଁ। ଏଭଳି ସ୍ଥିତିରେ ଆଉ କେତେ ଜୀବନ ଗଲେ ଏନଏଚ୍-୫୭ର ଅବସ୍ଥା ସୁଧୁରିବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସେପଟେ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି। ତେବେ ରାସ୍ତାର ଦୁରାବସ୍ଥା ଦୂର କରିବା ସହ ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହେଉଛି।

