ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷାରେ ଯାହାକୁ ‘ରେବଡି କଲଚର’ କୁହାଯାଏ, ଏବେ ଆମେରିକାରେ ମଧ୍ୟ ସେଭଳି ମାଗଣା ବଣ୍ଟନର ରାଜନୀତି ଚର୍ଚ୍ଚାରେ। ଆସନ୍ତା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଘୋଷଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଟ୍ରମ୍ପ କହିଛନ୍ତି, ଯଦି ରିପବ୍ଲିକାନ ପାର୍ଟି କଂଗ୍ରେସର ଉଭୟ ଗୃହରେ ବହୁମତ ହାସଲ କରେ, ତେବେ ଆମେରିକାର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ୫ ହଜାର ଡଲାର ଲେଖାଏଁ ଦିଆଯାଇପାରେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୫ ଲକ୍ଷ ଟଙ୍କା। ଏହି ଯୋଜନାକୁ ଟ୍ରମ୍ପ ‘ଟ୍ରମ୍ପ ଡିଭିଡେଣ୍ଡ’ ନାମ ଦେଇଛନ୍ତି। ତେବେ ଏତେ ବଡ଼ ରାଶି କେଉଁଠୁ ଆସିବ ଏବଂ ଏହାକୁ କିପରି ଦିଆଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅର୍ଥନୀତିଜ୍ଞଙ୍କ ମତରେ, ଏଭଳି ଯୋଜନା ଆର୍ଥିକ ଓ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ।
ଟ୍ରମ୍ପଙ୍କ ଏହି ଘୋଷଣାକୁ ଆସନ୍ତା ମିଡ୍ଟର୍ମ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି। ଆମେରିକାରେ ଦରଦାମ ବୃଦ୍ଧି ଓ ଇରାନ ଯୁଦ୍ଧକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦାବି କରାଯାଉଛି। ଏଭଳି ପରିସ୍ଥିତିରେ ରିପବ୍ଲିକାନ ପାର୍ଟିର ନିର୍ବାଚନୀ ସ୍ଥିତିକୁ ନେଇ ଟ୍ରମ୍ପ ଚିନ୍ତିତ ଥିବା ଚର୍ଚ୍ଚା ହେଉଛି। ନଭେମ୍ବରରେ ହେବାକୁ ଥିବା ମିଡ୍ଟର୍ମ ନିର୍ବାଚନରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ର ୪୩୫ ଆସନ ଏବଂ ସିନେଟ୍ର ୧୦୦ ଆସନ ପାଇଁ ନିର୍ବାଚନ ହେବ। ବିଭିନ୍ନ ଆକଳନରେ ଡେମୋକ୍ରାଟିକ ପାର୍ଟି ହାଉସ୍ ଓ ସିନେଟ୍ରେ ଭଲ ପ୍ରଦର୍ଶନ କରିପାରେ ବୋଲି କୁହାଯାଉଛି।
ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟ୍ରମ୍ପଙ୍କ ‘ଟ୍ରମ୍ପ ଡିଭିଡେଣ୍ଡ’ ଘୋଷଣାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଆମେରିକା ପରି ପୁଞ୍ଜିବାଦୀ ଦେଶରେ ନିର୍ବାଚନକୁ କେନ୍ଦ୍ର କରି ଏଭଳି ବଡ଼ ଆକାରର ନଗଦ ବଣ୍ଟନ ଘୋଷଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତରେ ମଧ୍ୟ ନିର୍ବାଚନ ସମୟରେ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଓ ମାଗଣା ଯୋଜନା ଘୋଷଣାକୁ ନେଇ ‘ରେବଡି କଲଚର’ ଉପରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଆସୁଛି।

