ନନ୍ଦିଘୋଷ ବ୍ୟୁରୋ : ପୁଣି ରେକର୍ଡ କରିଛି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)। ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ବିପିୟୁଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ବିପିୟୁଟିର ୧୬ଟି ବିଭାଗରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୫ ଲକ୍ଷ ୯ ହଜାର ୫୧୫ଟି ପରୀକ୍ଷା ଖାତା ମୂଲ୍ୟାୟନ କରି ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରାଯାଇଛି।
ଏଥିପାଇଁ ୫୨ଟି ଡିଜିଟାଲ ଖାତାଦେଖା କେନ୍ଦ୍ରରେ ୧ ହଜାର ୫୪୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିୟୋଜିତ ହୋଇଥିଲେ। ସେମାନେ ୫ ଲକ୍ଷ ୯ ହଜାର ୫୧୫ଟି ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ। ପୂର୍ବରୁ ମଧ୍ୟ ବିପିୟୁଟି ଅଡ୍ ସେମିଷ୍ଟାର ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା।
ସେହିପରି ବିପିୟୁଟିର ଇଭେନ୍ ସେମିଷ୍ଟାରରେ ୯୩ ହଜାର ୩୬୨ ଜଣ ଛାତ୍ରଛାତ୍ରୀ ୧୭୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବାର ତିନି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଗ୍ରେଡ୍ ସିଟ୍ ଓ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିବା ବିପିୟୁଟି ଭିସି ସୂଚନା ଦେଇଛନ୍ତି। ପରୀକ୍ଷା ସରିବାର ମାତ୍ର ଦୁଇ ଦିନ ମଧ୍ୟରେ ଫଳ ପ୍ରକାଶ ପାଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିବା ସହ ଏହା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ସହାୟତା ମିଳୁଥିବା କହିଛନ୍ତି।

