ନନ୍ଦିଘୋଷ ବ୍ୟୁରୋ : ପାଣି ପାଇଁ ହାହାକାର। ଲୋକଙ୍କୁ ମିଳୁନି ପିଇବା ପାଣି। ଭରସା ସାଜିଛି ଦୂଷିତ ନାଳ ପାଣି। ୨ ବର୍ଷ ହେଲା ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ କୋଟପଲ୍ଲା ଗାଁର ହରିଜନ ସାହି ଲୋକେ। ପ୍ରତି ଘର ଆଗରେ ଷ୍ଟାଣ୍ଡପୋଷ୍ଟ ବସିଛି, ହେଲେ ସେଥିରୁ ପାଣି ମୁନ୍ଦେ ବାହାରୁ ନାହିଁ। ବାଧ୍ୟ ହୋଇ ଲୋକେ ରେଙ୍ଗାଲି ନାଳର ଦୂଷିତ ପାଣି ଆଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ଅନେକ ଲୋକ ଝାଡ଼ାବାନ୍ତି ସହ ବିଭିନ୍ନ ରୋଗରେ ପଡ଼ୁଥିବା ଅଭିଯୋଗ ହୋଇଛି। ଦୀର୍ଘ ୨ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ମିଳୁଛି କେବଳ ଫମ୍ପା ପ୍ରତିଶ୍ରୁତି। ସମସ୍ୟାର ସମାଧାନ ନହେବାରୁ ଏବେ ଆନ୍ଦୋଳନ ମୁହାଁ ହୋଇଛନ୍ତି ଗ୍ରାମବାସୀ।

