ନନ୍ଦିଘୋଷ ବ୍ୟୁରୋ : ପାଖେଇ ଆସୁଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଣେଶ ପୂଜାରୁ ଆରମ୍ଭ ହେବ ପାର୍ବଣ । ଆଉ ଦିନ କେଇଟା ପରେ ଗଣେଶ ପୂଜା।ତିଆରି ଚାଲିଛି ଭଳିକି ଭଳି ଗଣେଶ ମୂର୍ତ୍ତି l ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର l ସ୍କୁଲ, କଲେଜ, ପୂଜାକମିଟି ବି ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି। ଆକର୍ଷଣୀୟ ମୂର୍ତ୍ତି ପାଇଁ କାରିଗରଙ୍କ ପାଖକୁ ଆସିଲାଣି ଅର୍ଡର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ମିଶ୍ରଣରେ କାରିଗର ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି l ଭିନ୍ନ ଭିନ୍ନ ଓ ସୁନ୍ଦର ମୂର୍ତ୍ତି ତିଆରି ପାଇଁ ଦିନ ରାତି ଏକ କରି ମୂର୍ତ୍ତି ଗଢୁଛନ୍ତି କାରିଗର l ଲୋକ ଦେଇଥିବା ଫୋଟୋ ଡିଜାଇନ, ଟ୍ରେଣ୍ଡିଂ ଡିଜାଇନ ଓ ଲୋକଙ୍କ ଚାହିଦା ଅନୁସାରେ ମୂର୍ତ୍ତି ତିଆରି କରୁଥିବା କହିଛନ୍ତି କାରିଗର l
ବିଶେଷ କରି ମାଟିରେ ତିଆରି ମୂର୍ତ୍ତିର ଢେର ଚାହିଦା ରହିଛି l ଦୁଇ ଶହ ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟଙ୍କାର ମୂର୍ତ୍ତି ରହିଛି l ଭିନ୍ନ ଧରଣର ତଥା ସିଂହାସନ ରେ ଆରୋହଣ ରତ, ମୂଷା ପିଠିରେ ବସିଥିବା, ମୁଣ୍ଡରେ ପଗଡି ଭିଡିଥିବା , ଶିବଲିଙ୍ଗକୁ ଧରିଥିବା ଗଣେଶଙ୍କ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି କାରିଗର l କମିଟିର ଅର୍ଡର ଅନୁସାରେ ଚାଲିଛି ତିଆରି l ଏବେ ବଜାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଶିଳ୍ପୀଙ୍କ ସୁନ୍ଦର ସୁନ୍ଦର ମୂର୍ତ୍ତି l କାରିଗରଙ୍କ ମୂର୍ତ୍ତି ଦୋକାନରେ ବଢୁଛି ଭିଡ଼ l

