ନନ୍ଦିଘୋଷ ଟିଭି; ନିଲମ୍ବିତ ବିଜେପି ଯୁବନେତା ପ୍ରକାଶ ପାଶୱାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ। ଅପରାଧୀକ କାର୍ଯ୍ୟକଳାପରେ ଜଡ଼ିତ ବହୁ ଅପରାଧୀଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପାଇଥିବା ସୂଚନା ମିଳିଛି। ବନ୍ଧୁକ ଚୋରା କାରବାର ଓ ଅପରାଧ ଘଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଆଉ ୫ ଜଣ ଅପରାଧୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଫେରାର ଥିବା ଏହି ୫ ଅପରାଧୀଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆନ୍ତଃରାଜ୍ୟ ବନ୍ଧୁକ ଚୋରା କାରବାର, ଅସ୍ତ୍ରଶସ୍ତ୍ର ରଖି ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର, ଦାଦାବଟି ଆଦାୟ ଓ ବାଲି ଚୋରା କାରବାର ସହ ପ୍ରକାଶ ପାଶୱାନଙ୍କ କିମ୍ବା ଅନ୍ୟ ଅପରାଧୀଙ୍କ ସମ୍ପର୍କ କ’ଣ ରହିଛି, ସେନେଇ ପୋଲିସ ତଥ୍ୟ ସଂଗ୍ରହ କରୁଛି।
ସେହିପରି ୪ଟି ବନ୍ଧୁକ ସହ ଗିରଫ ହୋଇଥିବା ଅପରାଧୀମାନେ କାହାକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ କି ନାହିଁ, ସେନେଇ ମଧ୍ୟ ତନାଘନା ଚାଲିଛି। ଜବତ ହୋଇଥିବା ୪ଟି ବନ୍ଧୁକ ଓ ୧୧ଟି ଗୁଳି ଅପରାଧୀମାନେ କେଉଁଠୁ ଆଣିଥିଲେ, ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ। ଗିରଫ ଅପରାଧୀଙ୍କ ସହ ପ୍ରକାଶ ପାଶୱାନଙ୍କ କି ସମ୍ପର୍କ ରହିଛି, ସେନେଇ ରଘୁନାଥପାଲ୍ଲି ଥାନା ପୋଲିସ ତନାଘନା ଚଳାଇଛି।

