ନନ୍ଦିଘୋଷ ବ୍ୟୁରୋ : ଖୋଲିବ ଅପରାଧୀକ ଲିଙ୍କର ଗୁମର । ଆଜି ଗିରଫ ନିଲମ୍ବିତ ବିଜେପି ନେତା ପ୍ରକାଶ ପାଶୱାନଙ୍କୁ ରିମାଣ୍ଡରେ ଆଣି ଘାଣ୍ଟିବ ପୋଲିସ । ଗତକାଲି ୨ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ । ସେପଟେ ପ୍ରକାଶ ଗିରଫ ହେବା ପରେ ତାଙ୍କ ବିରୋଧରେ ବଢୁଛି ଅଭିଯୋଗ । ଉଦିତ ନଗର ଥାନାରେ ପ୍ରକାଶ ପାଶଓ୍ବାନଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଦୁଇ ଜଣଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଓ ଦାଦାବଟି ଆଦାୟ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଉଦିତନଗର ଥାନାରେ ପ୍ରକାଶଙ୍କ ନାମରେ ଦୁଇଟି ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଟିମ୍ଵର କଲୋନୀ ନିକଟ ସଂରକ୍ଷିତ ଜଙ୍ଗଲ ଜମିରେ ପ୍ରକାଶ ପାଶଓ୍ବାନ ବେଆଇନ ଭାବେ ବିଜେପି କାର୍ଯ୍ୟାଳୟ ସହିତ ସାଂସଦ ପ୍ରତିନିଧିଙ୍କ କାର୍ଯ୍ୟଳୟ କରିଥିବା ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଅଫିସକୁ ସିଲ କରାଯାଇଛି । ପାନପୋଷ ରେଞ୍ଜ ଅଫିସର ତଦନ୍ତ ରିପୋର୍ଟ ଦେଵା ପରେ ଅଫିସକୁ ସିଲ କରାଯାଇଛି ।
ବେଆଇନ ନିର୍ମାଣ କାର୍ଯ୍ୟ ସହିତ ସମ୍ପୃକ୍ତ ସମ୍ପତ୍ତି ନିର୍ମାଣ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏସମ୍ପର୍କରେ କିଛି ଆପତ୍ତି ଥିଲେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହି ତଥ୍ୟ ଦାଖଲ କରିବା ପାଇଁ ନୋଟିସ ଜାରି କରାଯାଇଛି । ପ୍ରକାଶ ଗିରଫ ହେବା ପରେ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଅମିତ ନାୟକ ଓ ବିଜେପି ନେତା ଜନ ନାୟକ ରଘୁନାଥପାଲ୍ଲି ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରାଉରକେଲା ସର୍କିଟ ହାଉସରୁ ବନ୍ଧୁକ ସହ ଗିରଫ ହୋଇଥିବା ଅପରାଧୀଙ୍କୁ ପ୍ରକାଶ ସହଯୋଗ କରିଥିବା ଅଭିଯୋଗ ରହିଛି । ମାମଲାରେ ପୋଲିସ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ରାକେଟରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ।

