ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶର କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା। ଗଙ୍ଗା ନଦୀ କୂଳ ନିକଟ ଏକ କ୍ଷେତରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ଚାରି ସିଟ୍ର ଟ୍ରେନିଂ ବିମାନ ଖସି ପଡ଼ିଛି। ଏଥିରେ ଉଭୟ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ଟ୍ରେନି ପାଇଲଟ୍ ଥିବା ବେଳେ ଅନ୍ୟଜଣ ଇନ୍ଷ୍ଟ୍ରକ୍ଟର ଥିଲେ। ପୁଲିସ ସୂଚନା ଅନୁସାରେ, ଗୁଜରାଟର ସଚିନ ଭାଟିଆ ଏବଂ କର୍ଣ୍ଣାଟକର ଅଭିଷେକ ପୂଜାରୀ ଗୁରୁବାର ସକାଳ ପ୍ରାୟ ୧୧ଟା ୩୦ରେ କାନପୁର Garg Aviation Training Centreରୁ ବିମାନ ନେଇ ଉଡ଼ାଣ ଭରିଥିଲେ।
ପ୍ରାୟ ୨୦ ମିନିଟ୍ ପରେ ଟ୍ରେନିଂ ସେଣ୍ଟରକୁ ଫେରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଇନ୍ଷ୍ଟ୍ରକ୍ଟରଙ୍କର ପ୍ରାୟ ୩,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା। ଘଟଣା ସମ୍ପର୍କରେ DGCAକୁ ଅବଗତ କରାଯାଇଛି। DGCAର ଏକ ଟିମ୍ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବ। ଘଟଣାସ୍ଥଳକୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରଖିଛି।
ଦୁର୍ଘଟଣାର ଖବର ପାଇବା ପରେ ତୁରନ୍ତ ଜରୁରୀକାଳୀନ ସେବା ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳର ଚିତ୍ରରେ ବିମାନଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ତାହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଉଡ଼ାଣ ସମୟରେ ବିମାନଟି ନିୟନ୍ତ୍ରଣ ହରାଇବା ପରେ ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି। ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଟ୍ରେନିଂ ବିମାନଟି ୨୦୨୩ ମସିହାରେ ଟ୍ରେନିଂ ସେଣ୍ଟରକୁ ଅଣାଯାଇଥିଲା ।

