ନନ୍ଦିଘୋଷ ବ୍ୟୁରୋ : E20 ପ୍ରସଙ୍ଗରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ବଡ଼ ବୟାନ। ଯଦି ୨୦୨୭ ଗୋଆ ନିର୍ବାଚନରେ ଆପ୍ କ୍ଷମତାକୁ ଆସେ ତେବେ ୫ ଦିନ ଭିତରେ ଗୋଆରେ E20କୁ ନିଷିଦ୍ଧ କରାଯିବ ବୋଲି କହିଛନ୍ତି କେଜରିୱାଲ। ପୂର୍ବରୁ E20 ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିବା ସହ ଆନ୍ଦୋଳନ କରିଆସିଛି ଆପ୍। E20ରେ ୨୦ ପ୍ରତିଶତ ଇଥାନଲ ରହୁଥିବାବେଳେ ୮୦ ପ୍ରତିଶତ ରହିଛି ପେଟ୍ରୋଲ। ବିଜେପିଶାସିତ ଗୋଆକୁ ୨ ଦିନିଆ ଗସ୍ତରେ ଯାଇ ଏହା କହିଛନ୍ତି କେଜରିୱାଲ।
ସେ କହିଛନ୍ତି- ଯଦି ଗୋଆରେ ଆସନ୍ତା ବର୍ଷ ମାର୍ଚ୍ଚ ୧୦ରେ ଆପ୍ ସରକାର ଗଠନ କରେ ତେବେ ୧୫ ତାରିଖରେ ରାଜ୍ୟରେ ଇ-୨୦କୁ ନିଷେଧ କରାଯିବ। ନଚେତ ସେ ରାଜନୀତିରୁ ସନ୍ନ୍ୟାସ ନେବେ। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଆପର ୨ ସଦସ୍ୟ ରହିଛନ୍ତି। ସେ କହିଛନ୍ତି ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଇ୨୦ ସମସ୍ୟାର ଶିକାର ହେଉଛନ୍ତି। ଅନେକ ଯାନ ଖରାପ ହୋଇଯାଉଛି। ଯାନଗୁଡିକର ମାଇଲେଜ ବି କମୁଛି। ସେହିପରି ଚିନି ଦର ବୃଦ୍ଧି ପ୍ରସଙ୍ଗରେ ବି କେନ୍ଦ୍ରକୁ ସମାଲୋଚନା କରିଛନ୍ତି କେଜରିୱାଲ।
କେଜରିୱାଲ କହିଛନ୍ତି ଇ-୨୦ ପ୍ରସଙ୍ଗରେ ୨୯ଟି ଅଟୋ କମ୍ପାନିଙ୍କ ନିକଟକୁ ସେ ପତ୍ର ଲେଖିଥିଲେ। ସେହି କମ୍ପାନିଗୁଡିକର କର୍ତ୍ତୃପକ୍ଷ ଇ୨୦ ଫୁଏଲ ନୀତିକୁ ସମାଲୋଚନା କରିବା ସହ ଏହା ଗାଡି ଲାଗି ଖରାପ ବୋଲି ଦର୍ଶାଇଥିଲେ। ମାତ୍ର ସେମାନେ ଯଦି ମୁହଁ ଖୋଲନ୍ତି ତେବେ ଇଡି, ସିବିଆଇ, ଆଇଟି ରେଡ ହେବା ଆଶଙ୍କା ଥିବାରୁ ଚୁପ୍ ରହିଛନ୍ତି ବୋଲି ଦର୍ଶାଇଥିଲେ।

