ନନ୍ଦିଘୋଷ ବ୍ୟୁରୋ ; ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପାରିବାରିକ କଳହରୁ ବିଷ ପିଇଦେଲେ ଦମ୍ପତି। ଖଣ୍ଡଗିରି ଥାନା ଅଧୀନ ବାରଭୁଜା ବସ୍ତିରେ ଘଟିଛି ଏଭଳି ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କେନ୍ଦୁପଲ୍ଲି ଅଞ୍ଚଳର ବି. ସ୍ୱପ୍ନା ପାତ୍ର। ତାଙ୍କ ସ୍ୱାମୀ ଜିତେନ୍ଦ୍ର ପାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁସାରେ, ଜିତେନ୍ଦ୍ର ଓ ସ୍ୱପ୍ନାଙ୍କ ବିବାହକୁ ପ୍ରାୟ ୬ ବର୍ଷ ହୋଇଥିଲା। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେଇଥିଲା। ସ୍ୱାମୀ ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ ବାରମ୍ବାର କଳହ ହେଉଥିବା ଜଣାପଡ଼ିଛି।
ଗତକାଲି କୌଣସି କାରଣରୁ ଉଭୟେ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ପରେ ଉଭୟଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତେନ୍ଦ୍ରଙ୍କ ଚିକିତ୍ସା ଜାରି ରହିଛି। ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

