ନନ୍ଦିଘୋଷ ବ୍ୟୁରୋ ; ମିଠା ବିନା ପାର୍ବଣ ଫିକା। ହେଲେ ଏଥର ପାର୍ବଣ ଆଗରୁ ମିଠା ବ୍ୟବସାୟ ଉପରେ ପଡ଼ିଛି ମହଙ୍ଗା ମାଡ଼। ସାମ୍ନାରେ ରାକ୍ଷୀ ପୂର୍ଣ୍ଣିମା, ଗଣେଶ ପୂଜା, କୁମାର ପୂର୍ଣ୍ଣିମା ସମେତ ଲମ୍ବା ପାର୍ବଣ ଋତୁ। ଏହି ସମୟରେ ମିଠା ବଜାର ଚଳଚଞ୍ଚଳ ହେବା କଥା। କିନ୍ତୁ ଚିନି ସମେତ ବିଭିନ୍ନ କଞ୍ଚାମାଲର ଦର ବୃଦ୍ଧି ଏବେ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି।
ପୁରୀ ଜିଲ୍ଲା କାକଟପୁରର ପ୍ରସିଦ୍ଧ ଆନନ୍ଦ ବଜାରରୁ ଏହି ସମୟରେ କୁଇଣ୍ଟାଲ କୁଇଣ୍ଟାଲ ରସଗୋଲା, ଛେନାପୋଡ଼ ଓ ଚମଚମ ବାହାର ବ୍ଲକ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ। ହେଲେ ଏବେ ସେଠାରେ ମିଠା ବେପାର ମାନ୍ଦା ପଡ଼ିବା ଆଶଙ୍କା ଦେଖାଦେଇଛି। ଗତ ସପ୍ତାହକ ମଧ୍ୟରେ ଚିନି ଦର ହଠାତ୍ ବଢ଼ି କିଲୋ ପିଛା ପ୍ରାୟ ୭୦ ଟଙ୍କାରେ ପହଞ୍ଚିଛି।
ଚିନି ପୂର୍ବରୁ କ୍ଷୀର, ଛେନା, ଖାଇବା ତେଲ, ଘିଅ ଓ ମଇଦା ଦର ମଧ୍ୟ ବଢ଼ିସାରିଛି। ଫଳରେ କାକଟପୁର, ଅସ୍ତରଙ୍ଗ ଓ କୋଣାର୍କ ଅଞ୍ଚଳର ଅନେକ ମିଠା ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ବ୍ୟବସାୟୀଙ୍କ କହିବା ଅନୁସାରେ, ଗୋଟିଏ କିଲୋ ମିଠା ପ୍ରସ୍ତୁତ କରିବାରେ ଏବେ ପ୍ରାୟ ୧୫୦ ଟଙ୍କା ଅଧିକ ଖର୍ଚ୍ଚ ହେଉଛି। କଞ୍ଚାମାଲ ଦର ବଢ଼ୁଥିବାରୁ ମିଠା ଦର ବଢ଼ାଇବାକୁ ବ୍ୟବସାୟୀ ବାଧ୍ୟ ହେବେ। ହେଲେ ଦର ବଢ଼ିଲେ ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବା ସହ ବେପାର ମାନ୍ଦା ହେବାର ଆଶଙ୍କା ରହିଛି। ପାର୍ବଣ ଋତୁ ପୂର୍ବରୁ ମିଠା ବ୍ୟବସାୟ ଉପରେ ଏଭଳି ମହଙ୍ଗା ମାଡ଼ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି।

