ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବିଡିଓଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନ ହେଲା କଲମ ଛାଡ଼ ଆନ୍ଦୋଳନ ଚାଲିଛି। କର୍ମଚାରୀମାନେ କାର୍ଯ୍ୟରୁ ବିରତ ରହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ବ୍ଲକର ବିଭିନ୍ନ ସରକାରୀ କାମ ପ୍ରଭାବିତ ହୋଇଛି। ଫଳରେ ବ୍ଲକ କାର୍ଯ୍ୟାଳୟରେ କାମ ଠପ୍ ହୋଇପଡ଼ିଛି।
ଆନ୍ଦୋଳନକାରୀ କର୍ମଚାରୀମାନେ କହିଛନ୍ତି ଯେ, ଜଣେ ସରକାରୀ ଅଧିକାରୀ, ବିଶେଷକରି ଜଣେ ମହିଳା ବିଡିଓଙ୍କ ପ୍ରତି ଏଭଳି ଦୁର୍ବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଘଟଣାକୁ ସଂଘ ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯିବା ସହ ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମିକତା ଦିଆଯିବା ଦାବି କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ସହ ବିଡିଓଙ୍କୁ ଅସମ୍ମାନ କରିଥିବା ଦଳୀୟ କର୍ମୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

