ନନ୍ଦିଘୋଷ ବ୍ୟୁରୋ; ମକା ଚାଷୀଙ୍କ ମୁଣ୍ଡରେ ଚଡ଼କ। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ବିଭିନ୍ନ ଅଞ୍ଚଳରେ ହେକ୍ଟର ହେକ୍ଟର ଜମିରେ ମକା ଚାଷ କରିଥିଲେ ଚାଷୀ। ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଆଶା ଥିଲା ଅମଳ ସମୟରେ ଭଲ ରୋଜଗାର ହେବ। ହେଲେ ଅମଳ ବେଳକୁ ସବୁ ଆଶା ମଉଳିଯାଇଛି। ଜଙ୍ଗଲୀ ବାରହା ଓ କୀଟଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ମକା ଫସଲ ନଷ୍ଟ ହୋଇଯାଇଛି।
ଫସଲ ନଷ୍ଟ ହେବା ପରେ ଚାଷୀମାନେ କ୍ଷୟକ୍ଷତି ସମ୍ପର୍କରେ ବନ ବିଭାଗଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି। ତଥାପି ସେମାନଙ୍କ ଅଭିଯୋଗ ପ୍ରତି କେହି ଦୃଷ୍ଟି ଦେଉନଥିବା ଚାଷୀମାନେ କହିଛନ୍ତି। ଫଳରେ ଚାଷୀମାନେ ଋଣ ପରିଶୋଧ କରିବା ନେଇ ଚିନ୍ତାରେ ପଡ଼ିଛନ୍ତି। କ୍ଷୟକ୍ଷତିର କୌଣସି ସହାୟତା କିମ୍ବା କ୍ଷତିପୂରଣ ମିଳୁନଥିବାରୁ ଅନେକ ଚାଷୀ ଚାଷ ଛାଡ଼ି ଦାଦନ ଖଟିବାକୁ ବାହାରକୁ ପଳାଇ ଗଲେଣି। ଫସଲ ନଷ୍ଟର ଆକଳନ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବା ସହ ଜଙ୍ଗଲୀ ବାରହା ଓ କୀଟଙ୍କ ଉପଦ୍ରବ ରୋକିବାକୁ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

