spot_img

Latest Posts

ଭୁବନେଶ୍ୱରରେ ଅନଲାଇନ୍ ଅଟୋ-ଟାକ୍ସି ଆନ୍ଦୋଳନରେ ହିଂସା: ୧୧୩ ଗିରଫ, ୩୫୪ ଗାଡ଼ି ସିଜ୍

ନନ୍ଦିଘୋଷ ବ୍ୟୁରୋ; ଭୁବନେଶ୍ୱରରେ ଅନଲାଇନ୍ ଅଟୋ ଓ ଟାକ୍ସି ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ଗତକାଲି ଘଟିଥିବା ହିଂସାକାଣ୍ଡକୁ ନେଇ ପୋଲିସର କଡ଼ା ଆକ୍ସନ। ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩୫୪ଟି ଗାଡ଼ି ସିଜ୍ କରାଯାଇଛି। ତେବେ ଭଲ ବ୍ୟବହାର ଦେଖାଇଥିବା ୬୦ ଜଣଙ୍କୁ ପୋଲିସ ଛାଡ଼ି ଦେଇଛି। ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମୋଟ ୭ଟି ଏତଲା ରୁଜୁ ହୋଇଛି। ସେଥିରୁ ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଗୋଟିଏ FIR ରୁଜୁ ହୋଇଛି। ଗତକାଲି ଆନ୍ଦୋଳନ ସମୟରେ ପରିସ୍ଥିତି ଉଗ୍ର ହୋଇଥିଲା। ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକାପଥର ମାଡ଼ କରିବା ସହ ଆମ ବସ୍‌ରେ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଆଇନ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।

ଅନ୍ୟପଟେ, ଅଭିଯୁକ୍ତ ଗାଡ଼ି ମାଲିକଙ୍କ ଗାଡ଼ିର ପରମିଟ୍ ଓ RC ବାତିଲ କରାଯିବ ବୋଲି ପରିବହନ ବିଭାଗ ଚେତାବନୀ ଦେଇଛି। ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏବେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ରହିଛି। ତଥାପି ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ଘଟଣାସ୍ଥଳ ଉପରେ କଡ଼ା ନଜର ରଖାଯାଇଛି। ସାଧାରଣ ଅଟୋ ଚଳାଚଳ କରୁଥିଲେ ମଧ୍ୟ ଅନଲାଇନ୍ ଅଟୋ ସେବା ଏବେ ବି ବନ୍ଦ ରହିଛି।

Latest Posts

Don't Miss