ନନ୍ଦିଘୋଷ ବ୍ୟୁରୋ; ଆସନ୍ତା ୨୮ ତାରିଖ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ଓ ଅତୁଟ ପ୍ରେମର ପର୍ବ । ଭାଇ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ଖୋର୍ଦ୍ଧା ଜିଲ୍ଲା ଜଟଣୀର ଏବେଠୁ ଜମିଲାଣି ରାକ୍ଷୀ କିଣାବିକାର ଆସର । ଦୂରଦୂରାନ୍ତରେ ଥିବା ଭାଇ ପାଇଁ ରାକ୍ଷୀ କିଣି ପଠାଇଲେଣି ଭଉଣୀ । ଜଟଣୀର ବିଭିନ୍ନ ଗୋଦାମରେ ସୁଲଭ ଦରରେ ରାକ୍ଷୀ ମିଳୁଥିବାରୁ ଉଭୟ ଖୁଚୁରା ବେପାରୀ ଓ ଗ୍ରାହକଙ୍କ ଭିଡ଼ ଜମୁଛି । ଗୁଜୁରାଟର ରାଜକୋଟ, ମୁମ୍ବାଇ, ଦିଲ୍ଲୀ, କୋଲକାତାରୁ ରାକ୍ଷୀ ଆଣି ଗୋଦାମ ମାଲିକ ମାନେ ଜଟଣୀରେ ବିକ୍ରି କରିଥାନ୍ତି । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜାରକୁ ଆସିଛି ବିଭିନ୍ନ ପ୍ରକାରର ରାକ୍ଷୀ । ଧାନରେ ନିର୍ମିତ ରାକ୍ଷୀ, ଜଗନ୍ନାଥଙ୍କ ରାକ୍ଷୀ, ଟୟେ, ଷ୍ଟୋନ, ଫ୍ୟାନସି, ଭ୍ରେସ୍ଲେଟ ଆଦି ରାକ୍ଷୀର ବେଶ ଚାହିଦା ରହିଛି ।

