ନନ୍ଦିଘୋଷ ବ୍ୟୁରୋ; ଇରାନ-ଆମେରିକା ମଧ୍ୟରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ହର୍ମୁଜ୍ ପ୍ରଣାଳୀକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଆମେରିକା ପକ୍ଷରୁ ସମ୍ଭାବ୍ୟ ଗ୍ରାଉଣ୍ଡ ଅପରେସନ୍କୁ ନେଇ ଚର୍ଚ୍ଚା ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ବା IRGC ପକ୍ଷରୁ ଦିଆଯାଇଛି କଡ଼ା ଚେତାବନୀ । ଇରାନ କହିଛି, ଏପର୍ଯ୍ୟନ୍ତ ତାଙ୍କର ସାମରିକ କାର୍ଯ୍ୟକଳାପ ମୁଖ୍ୟତଃ ରକ୍ଷାତ୍ମକ ଥିଲା । କିନ୍ତୁ ଆଗକୁ ପରିସ୍ଥିତି ବଦଳିଲେ ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି IRGC। ଏହା ସହ ଇରାନ ପକ୍ଷରୁ ଏକ ‘ଷ୍ଟ୍ରାଟେଜିକ୍ ସରପ୍ରାଇଜ୍’ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ଚେତାବନୀ ଦିଆଯାଇଛି । ସେପଟେ ହର୍ମୁଜ୍ ପ୍ରଣାଳୀକୁ ନେଇ ମଧ୍ୟ ତିକ୍ତତା ବଢ଼ିଛି । ଏହି ଜଳପଥ ଦେଇ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ହୋଇଥାଏ । ହର୍ମୁଜ୍ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବାରୁ ବିଶ୍ୱ ତୈଳ ବଜାରରେ ମଧ୍ୟ ଚିନ୍ତା ବଢ଼ିଛି ।

