ଶିକ୍ଷା ନାଁରେ ଚାଲିଛି ବଡ଼ ଠକେଇ । ଡିଗ୍ରୀ ହାତେଇବାର ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି ନକଲି ବିଶ୍ୱବିଦ୍ୟାଳୟ । ଦେଶରେ ଏଭଳି ୩୨ଟି ଫେକ୍ ୟୁନିଭର୍ସିଟି ଚିହ୍ନଟ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ଅର୍ଥାତ୍ UGC । ଏହି ସଂସ୍ଥାଗୁଡ଼ିକୁ ଡିଗ୍ରୀ ପ୍ରଦାନ କରିବାର ଆଇନଗତ ଅଧିକାର ନାହିଁ । ତଥାପି ନାମୀଦାମୀ ବିଶ୍ୱବିଦ୍ୟାଳୟ ଭଳି ନାମ, ବିଜ୍ଞାପନ ଏବଂ ଆକର୍ଷଣୀୟ ପ୍ଲେସମେଣ୍ଟର ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଯାଉଥିବା ଅଭିଯୋଗ ରହିଛି ।
ବିଶେଷକରି ଅନଲାଇନ୍ ଆଡମିଶନ୍ ଏବଂ ଡିଷ୍ଟାନ୍ସ ଏଜୁକେସନ୍ ନାଁରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରାଯାଉଛି । ଏଭଳି ସଂସ୍ଥାରୁ ଡିଗ୍ରୀ ହାସଲ କରିବା ପରେ ଚାକିରି, ଉଚ୍ଚଶିକ୍ଷା କିମ୍ବା ସରକାରୀ ନିଯୁକ୍ତି ସମୟରେ ଛାତ୍ରଛାତ୍ରୀ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ତେଣୁ ଆଡମିଶନ୍ ନେବା ପୂର୍ବରୁ ବିଶ୍ୱବିଦ୍ୟାଳୟର UGC ମାନ୍ୟତା, କୋର୍ସର ଅନୁମୋଦନ ଏବଂ ଡିଗ୍ରୀର ବୈଧତା ଯାଞ୍ଚ କରିବାକୁ UGC ପକ୍ଷରୁ ପରାମର୍ଶ ଦିଆଯାଇଛି ।
ତେବେ ଅସଲି ଓ ଫେକ୍ ୟୁନିଭର୍ସିଟିକୁ କେମିତି ଚିହ୍ନିବେ?
ପ୍ରଥମେ UGCର ଅଫିସିଆଲ୍ ୱେବସାଇଟ୍ରେ ବିଶ୍ୱବିଦ୍ୟାଳୟର ନାମ ଯାଞ୍ଚ କରନ୍ତୁ । ଦ୍ୱିତୀୟରେ, ଆପଣ ନେବାକୁ ଯାଉଥିବା କୋର୍ସ ଏବଂ ଡିଗ୍ରୀ ପାଇଁ ଆବଶ୍ୟକ ଅନୁମୋଦନ ରହିଛି କି ନାହିଁ, ତାହା ଯାଞ୍ଚ କରନ୍ତୁ । ବିଶେଷକରି Online କିମ୍ବା Distance Education ହେଲେ UGC ସହିତ ସମ୍ପୃକ୍ତ ନିୟାମକ ସଂସ୍ଥାର ମାନ୍ୟତା ମଧ୍ୟ ଦେଖିବା ଦରକାର ।
ତୃତୀୟରେ, “100% Job Guarantee”, “କମ୍ ସମୟରେ Degree”, “ବିନା ପରୀକ୍ଷାରେ Degree” ଭଳି ଲୋଭନୀୟ ଅଫର୍ ଦେଖିଲେ ସତର୍କ ହୁଅନ୍ତୁ । ବିଶ୍ୱବିଦ୍ୟାଳୟର ନାମ ଓ ଠିକଣା ସମ୍ପର୍କରେ ମଧ୍ୟ ଯାଞ୍ଚ କରନ୍ତୁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ—କେବଳ ୱେବସାଇଟ୍ କିମ୍ବା ବିଜ୍ଞାପନ ଦେଖି ବିଶ୍ୱାସ କରନ୍ତୁ ନାହିଁ । UGCର ଅଫିସିଆଲ୍ ତାଲିକାରେ ନାମ ଯାଞ୍ଚ କରିବା ପରେ ହିଁ ଆଡମିଶନ୍ ନିଅନ୍ତୁ । କାରଣ ଭୁଲ୍ ସଂସ୍ଥାରେ ଖର୍ଚ୍ଚ କରିଥିବା ଟଙ୍କା ଫେରିପାଇବା କଷ୍ଟକର ହୋଇପାରେ, ଆଉ ଡିଗ୍ରୀର ବୈଧତା ନେଇ ଭବିଷ୍ୟତରେ ସମସ୍ୟା ହୋଇପାରେ ।

