ନନ୍ଦିଘୋଷ ଟିଭି ବ୍ୟୁରୋ: ବହୁଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଏବଂ ନାଟକୀୟ ମୋଡ଼ ସାମ୍ନାକୁ ଆସିଛି, ଯାହାକୁ ନେଇ କୋର୍ଟରୁମରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପକ୍ଷରୁ କୋର୍ଟରେ କିଏ ପ୍ରତିନିଧିତ୍ୱ କରିବ, ସେ ନେଇ ଦୁଇଜଣ ଓକିଲଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ବାର୍ ଆଣ୍ଡ୍ ବେଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଓକିଲ ଆଶୁତୋଷ ଶ୍ରୀବାସ୍ତବ ଅଦାଲତରେ ହାଜର ହୋଇ ଦାବି କରିଥିଲେ ଯେ ସେ ସିୟାଙ୍କ ଓକିଲ ଏବଂ ତାଙ୍କ ପାଖରେ ସିୟାଙ୍କ ଦ୍ୱାରା ସ୍ୱାକ୍ଷରିତ ବୈଧ ‘ବକାଲତନାମା’ ରହିଛି। ମାତ୍ର କୋର୍ଟରୁମରେ ସେତେବେଳେ ଚାଞ୍ଚଲ୍ୟ ଖେଳିଯାଇଥିଲା, ଯେତେବେଳେ ସିୟା ନିଜେ ସ୍ପଷ୍ଟ କରିଥିଲେ ଯେ ସେ କେବଳ ବିପୁଲ ଦୁଶିଙ୍ଗଙ୍କୁ ହିଁ ନିଜର ଓକିଲ ନିଯୁକ୍ତ କରିଛନ୍ତି। ସିୟାଙ୍କ ଏହି ବୟାନ ପରେ ଆଶୁତୋଷ ଶ୍ରୀବାସ୍ତବ ନିରୁପାୟ ହୋଇ କୋର୍ଟରୁମରୁ ଚାଲିଯାଇଥିଲେ।
ଅପରପକ୍ଷରେ, ସିୟାଙ୍କ ପରିବାର, ବିଶେଷ କରି ତାଙ୍କ ଭାଇ ସାହିଲ ଗୋୟଲ ଏବଂ ପୋଲିସ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଶୁତୋଷ ଶ୍ରୀବାସ୍ତବ କିମ୍ବା ତାଙ୍କ ଟିମକୁ ଏହି ମାମଲା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ ଏବଂ ବିପୁଲ ଦୁଶିଙ୍ଗ ହିଁ ସେମାନଙ୍କର ଅଫିସିଆଲ୍ ଓକିଲ। କୋର୍ଟରୁମରେ ହୋଇଥିବା ଏହି ଅପମାନଜନକ ପରିସ୍ଥିତି ପରେ ଓକିଲ ଆଶୁତୋଷ ଶ୍ରୀବାସ୍ତବ ଏକ ବଡ଼ ପଦକ୍ଷେପ ନେଇ ସିୟାଙ୍କ ଭାଇ ସାହିଲ ଗୋୟଲଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଛନ୍ତି। ଆଶୁତୋଷଙ୍କ ଅଭିଯୋଗ ଅନୁଯାୟୀ, ଗତ ଜୁନ୍ ୨୯ ତାରିଖରେ ସାହିଲ ଗଣମାଧ୍ୟମ ସାମ୍ନାରେ ସାର୍ବଜନୀନ ଭାବେ ମିଥ୍ୟା ଓ ଭ୍ରାମକ ବୟାନ ଦେଇଛନ୍ତି, ଯାହା ତାଙ୍କର ବୃତ୍ତିଗତ ପ୍ରତିଷ୍ଠାକୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଛି। ଏହି ନୋଟିସ ଜରିଆରେ ସେ ସାହିଲଙ୍କୁ ନିଜର ଆରୋପ ପ୍ରତ୍ୟାହାର କରିବା ସହ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିବାକୁ ଏବଂ କ୍ଷତିପୂରଣ ବାବଦକୁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି।

