spot_img

Latest Posts

ରାତ୍ରିର ନିରବତାକୁ ଚିରି ପୁରୀ ଅଭିମୁଖେ ସାଇକେଲ ଯାତ୍ରା : ପର୍ଯ୍ୟଟନ ପ୍ରସାରରେ ସବୁଜ ବାର୍ତ୍ତା ଦେଲା ‘ଟ୍ୱାଇଲାଇଟ୍ ଟୁର୍–୪

ନନ୍ଦିଘୋଷ ବ୍ୟୁରୋ :, ସାଇକେଲ ହେଉଛି ସୁସ୍ଥ ଜୀବନ ଓ ସ୍ଥାୟୀ ପର୍ଯ୍ୟଟନର ସେତୁ ପରିବେଶ ସୁରକ୍ଷା, ସୁସ୍ଥ ଜୀବନଶୈଳୀ ଓ ପର୍ଯ୍ୟଟନର ପ୍ରସାରକୁ ନେଇ ଏକ ଅଭିନବ ପ୍ରୟାସରେ ଶନିବାର ରାତିରେ ‘ରେସର୍ସ ଆଣ୍ଡ ରନର୍ସ କ୍ଲବ୍’ ପକ୍ଷରୁ ‘ଟ୍ୱାଇଲାଇଟ୍ ଟୁର୍–୪’ନାମରେ ଏକ ରାତ୍ରିକାଳୀନ ସାଇକେଲ ଯାତ୍ରା ଆୟୋଜିତ ହୋଇଥିଲା। ଜୁନ୍ ୨୭ ତାରିଖ ରାତିରେ ଭୁବନେଶ୍ୱରର କ୍ରାଉନ୍ ବସ୍ ଷ୍ଟପ୍‌ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ପରେ ସମୁଦ୍ରକୂଳ ମାର୍ଗ ଦେଇ ସାଇକେଲ ଆରୋହୀମାନେ ପୁନର୍ବାର ଭୁବନେଶ୍ୱରକୁ ଫେରିଥିଲେ।

ଆୟକର ବିଭାଗର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ସରୋଜ କୁମାର ମହାପାତ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ରାତ୍ରି ଯାତ୍ରାରେ ପ୍ରାୟ ୩୦ ଜଣ ସାଇକେଲ ଆରୋହୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶୃଙ୍ଖଳା, ପରସ୍ପର ସହଯୋଗ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମଗ୍ର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିଲା। ରାତ୍ରିର ଶୀତଳ ପରିବେଶ, ଖୋଲା ଆକାଶ ଓ ନିରବ ରାଜପଥ ସାଇକେଲ ଯାତ୍ରାକୁ ଏକ ନିଆରା ଅନୁଭୂତି ପ୍ରଦାନ କରିଥିଲା।

ଏହି ସାଇକେଲ ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ସମାଜକୁ ଏହି ବାର୍ତ୍ତା ପହଞ୍ଚାଇବା ଯେ, ସାଇକେଲ କେବଳ ଏକ ଯାତାୟାତ ମାଧ୍ୟମ ନୁହେଁ; ବରଂ ଏହା ସୁସ୍ଥ ଜୀବନ, ପରିବେଶ ସୁରକ୍ଷା ଓ ସ୍ଥାୟୀ ପର୍ଯ୍ୟଟନର ଏକ ପ୍ରଭାବଶାଳୀ ଉପାୟ। ସାଇକେଲ ବ୍ୟବହାର ଦ୍ୱାରା କାର୍ବନ ନିର୍ଗମନ ହ୍ରାସ ପାଇବା ସହ ଶାରୀରିକ ସୁସ୍ଥତା ବୃଦ୍ଧି ପାଇଥାଏ ଏବଂ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ପ୍ରକୃତି ସହ ଉପଭୋଗ କରିବାର ସୁଯୋଗ ମିଳିଥାଏ।

ରେସର୍ସ ଆଣ୍ଡ ରନର୍ସ କ୍ଲବ୍ ପକ୍ଷରୁ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ଏଭଳି ସଚେତନତାମୂଳକ ସାଇକେଲ ଅଭିଯାନ ଆୟୋଜନ କରିବାକୁ ଯୋଜନା ରହିଥିବା ଜଣାପଡ଼ିଛି। ପରିବେଶ ଅନୁକୂଳ ଯାତାୟାତ ଓ ସୁସ୍ଥ ଜୀବନଶୈଳୀ ପ୍ରତି ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ଦିଗରେ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ଏକ ସକାରାତ୍ମକ ସାମାଜିକ ଆନ୍ଦୋଳନର ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

Latest Posts

Don't Miss