spot_img

Latest Posts

ମହାରାଷ୍ଟ୍ରରେ ମହିଳା ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ: ସରକାର ଆଣିଲେ ଐତିହାସିକ ବିଲ୍‌

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ମହିଳା ଚାଷୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର ସାମ୍ନାକୁ ଆସିଛି। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ‘ମହାରାଷ୍ଟ୍ର ମହିଳା ଚାଷୀ ସଶକ୍ତିକରଣ ବିଧେୟକ, ୨୦୨୬’ ର ଚିଠା (Draft) କୁ ମଞ୍ଜୁରୀ ମିଳିଛି। ଏହି ଐତିହାସିକ ବିଲ୍‌ ମାଧ୍ୟମରେ କୃଷି କ୍ଷେତ୍ରରେ ୮୧ ପ୍ରତିଶତରୁ ଅଧିକ ଯୋଗଦାନ ଦେଉଥିବା ମହିଳାମାନଙ୍କୁ ଆଇନଗତ ଭାବେ ଏକ ସ୍ୱାଧୀନ ଚାଷୀର ମାନ୍ୟତା ପ୍ରଦାନ କରାଯିବ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, କୃଷି କାର୍ଯ୍ୟରେ ମହିଳାଙ୍କ ଅବଦାନ ସବୁଠାରୁ ଅଧିକ ଥିଲେ ମଧ୍ୟ ସେମାନଙ୍କୁ ପୂର୍ବରୁ ପର୍ଯ୍ୟାପ୍ତ ଅଧିକାର ଓ ସଠିକ୍ ପରିଚୟ ମିଳୁନଥିଲା। ଏହି ବିଲ୍ ସେମାନଙ୍କୁ ନିଜର ଅଧିକାର ଓ ସୁଯୋଗ ଦେବା ଦିଗରେ ଏକ ବଡ଼ ପଦକ୍ଷେପ ଏବଂ ଏହାକୁ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଉପସ୍ଥାପନ କରାଯିବ।

ଏହି ଚିଠା ବିଲ୍‌ ଅନୁଯାୟୀ, ଏଣିକି ନିଜ ନାଁରେ ଜମି ନଥିଲେ ମଧ୍ୟ ମହିଳାମାନଙ୍କୁ ଆଇନଗତ ଭାବେ “ମହିଳା ଚାଷୀ” ର ମାନ୍ୟତା ମିଳିବ। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଏକ ସ୍ୱତନ୍ତ୍ର “ମହିଳା କିସାନ୍ ପ୍ରମାଣ-ପତ୍ର”  ଜାରି କରିବେ। ଏହି ପ୍ରମାଣପତ୍ର ସାହାଯ୍ୟରେ ମହିଳାମାନେ କିସାନ୍ କ୍ରେଡିଟ୍ କାର୍ଡ , ସରକାରୀ ସବ୍‌ସିଡି, ଫସଲ ବୀମା, ବିଭିନ୍ନ କୃଷି ଯୋଜନା ଏବଂ ବ୍ୟାଙ୍କ ଋଣ ଭଳି ସୁବିଧାର ସିଧାସଳଖ ଲାଭ ଉଠାଇପାରିବେ। ଏଥି ସହିତ ବିଲ୍‌ରେ କୃଷି ଓ ଚାଷୀର ପରିସରକୁ ମଧ୍ୟ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ଚାଷ ସହିତ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟ ଯେପରିକି  ମାଛ ଚାଷ, ପଶୁପାଳନ କରୁଥିବା ମହିଳା ଏବଂ ଭାଗଚାଷୀ, କ୍ଷେତ ମୂଲିଆ ଓ ପ୍ରବାସୀ ମହିଳା ଶ୍ରମିକମାନେ ମଧ୍ୟ ଏହାର ଲାଭ ପାଇପାରିବେ।

ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ସଠିକ୍ ଭାବେ ଲାଗୁ କରିବା ପାଇଁ ସରକାର ‘ମହାରାଷ୍ଟ୍ର ରାଜ୍ୟ ମହିଳା କିସାନ୍ କୋଷ’  ଗଠନ କରିବା ସହ ସମସ୍ତ ମହିଳା ଚାଷୀଙ୍କର ଏକ ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତ କରିବେ, ଯାହା ଅନ୍ୟ ସରକାରୀ ବିଭାଗ ସହ ସଂଯୁକ୍ତ ରହିବ। ଏହା ବ୍ୟତୀତ ମହିଳାମାନଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ଏବଂ ବ୍ଲକ  ସ୍ତରରେ ‘ମହିଳା କିସାନ୍ ସହାୟତା ଅଧିକାରୀ’ ନିଯୁକ୍ତ କରାଯିବାର ପ୍ରସ୍ତାବ ରହିଛି। ଏହି ଅଧିକାରୀମାନେ ମହିଳା ଚାଷୀଙ୍କୁ ପ୍ରମାଣପତ୍ର ହାସଲ କରିବାରେ, କଲ୍ୟାଣକାରୀ ଯୋଜନାର ସୁବିଧା ନେବାରେ ଏବଂ ଚାଷର ଆଧୁନିକ ପ୍ରଣାଳୀ ଆପଣାଇବାରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ।

Latest Posts

Don't Miss