ଅନୁଗୁଳ ପୁଲିସର ଏନକାଉଣ୍ଟର । ଦୁଇ ଡକାୟତଙ୍କୁ କଲା ଏନକାଉଣ୍ଟର । ଉଭୟ ଡକାୟତ ମାହାରାଷ୍ଟ୍ରର ସଚିନ ଗାଜଗେ ଓ ପ୍ରକାଶ ମାହାନେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତମାନେ ପୋଲିସ ଉପରେ ଗୁଳି ଚଳାଇବା ପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ଗତକାଲି ତାଳଚେରର ଏକ ସୁନା ରିଫାଇନେରୀ ଦୋକାନରୁ ପୁଲିସର ପରିଚୟ ଦେଇ ଲୁଟିଥିଲେ ସୁନା । ସେମାନଙ୍କୁ ଧରିବାକୁ ହଣ୍ଡପା ଥାନା ଚୁଲିଆପୁର ଜଙ୍ଗଲ ନିକଟରେ ହୋଇଥିଲା ଏନକାଉଣ୍ଟର । ଏହି ଦୁଇ ସମେତ ରାଜେଶ ମାଡନେ ଓ ଦେବ ପ୍ରଭାକର ଲୋଖଣ୍ଡେ ନାମକ ଅନ୍ୟ ଦୁଇ ଡକାୟତ ମଧ୍ୟ ଗିରଫ ହୋଇଛନ୍ତି । ଗତକାଲି ଜିଏସଟି ଓ ଇନକମ ଟାକ୍ସ ର କର୍ମଚାରୀ ପରିଚୟ ଦେଇ ତାଳଚେରର ହାଟତୋଟା ଅଞ୍ଚଳର ଦେହୁରୀ ମାର୍କେଟରେ ଥିବା ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନାରୀ ଦୋକାନରେ ପଶିଥିଲେ ଏବଂ ପରେ ପ୍ରାୟ ୨୯୦ ଗ୍ରାମର ସୁନା ଲୁଟିନେଇଥିଲେ । ଏପରିକି ଦୋକାନୀ କର୍ମଚାରୀଙ୍କୁ ଅପହରଣ କରି ନେଇ ଅନୁଗୁଳ ସହର ନିକଟରେ ଛାଡ଼ିଦେଇ ଛୁ ମାରିଥିଲେ । ଲୁଟେରାଙ୍କ ଭିଜୁଆଲ ଦୋକାନର ସିସିଟିଭିରେ କଏଦ ହୋଇଛି । ଖବର ପାଇ ତାଳଚେର ପୁଲିସ୍ ସମେତ ଅନୁଗୁଳ ପୁଲିସର ଅନେକଗୁଡ଼ିଏ ଟିମ ଓ ସ୍ପେସାଲ୍ ସ୍କ୍ୱାଡ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ସେହିପରି ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର ସବୁ ଥାନାକୁ ଗାଡ଼ି ସମ୍ପର୍କରେ ସୂଚନା ଦେଇ ଆଲର୍ଟ ରହିବାକୁ ଅନୁରୋଧ କରିଥିଲେ । ଏକ କଳା ରଙ୍ଗର କାରରେ ଆସି ୩ ଜଣ ବ୍ୟକ୍ତି ହଠାତ୍ ତାଳଚେର ହାଟତୋଟା ସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ଆଣ୍ଡ ସିଲଭର ରିଫାଇନେରୀରେ ପହଞ୍ଚି ରେଡ୍ ପାଇଁ ଭୁବନେଶ୍ୱରରୁ ଆସିଥିବା କହିଲେ । ଏଠି ତୁମ ଗହଣା ଦୋକାନରେ ପ୍ରତିଦିନ ସୁନା ନେଣଦେଣ ହେଉଛି । ତେଣୁ ଏବେ ରେଡ୍ ହେବ । କେତେ ଗହଣା ଅଛି ଦେଖାଅ । ଏମିତି କହି କିଛି ସମୟ ଦୋକାନ ଯାଞ୍ଚ କରିବା ପରେ ବିଭିନ୍ନ ଗହଣା ଦୋକାନରୁ ଆସି ମେଲଟିଂ ହୋଇ ରଖାଯାଇଥିବା ସୁନା ଡବା ସହ ଜଣେ ଦୋକାନୀ କର୍ମଚାରୀଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ । ଅନୁଗୁଳ କାଲଟାକ୍ସ ଛକ ନିକଟରେ ଦୋକାନୀ କର୍ମଚାରୀଙ୍କୁ ଛାଡ଼ି ଛୁ ମାରିଥିଲେ ଦୁର୍ବୁତ୍ତ ମାନେ । ପୋଲିସ ଲୁଟ୍ ହୋଇଥିବା ପ୍ରାୟ ସମସ୍ତ ସୁନା-ରୁପା ଅଳଙ୍କାର, ଦୁଇଟି ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଓ ଘଟଣାରେ ବ୍ୟବହୃତ କାର୍ ଜବତ କରିଛି। ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କ ସନ୍ଧାନରେ ପୋଲିସର ଚଢ଼ାଉ ଜାରି ରହିଛି।

