spot_img

Latest Posts

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା, ଦିଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ହଟିବ ଶବ୍ଦ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା, ଦିଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ହଟିବ ଶବ୍ଦ

ନନ୍ଦଘୋଷ ବ୍ୟୁରୋ:  ପଶ୍ଚିମବଙ୍ଗର ଦିଘା ଜଗନ୍ନାଥ ଧାମ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ । ଆଜି ଏହି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପୁରୀର ବିଜେପି ସାଂସଦ ସମ୍ବିତ ପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରମ ମାଝୀଙ୍କ ଚିଠିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ । ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଦିଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରରୁ ଧାମ ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।

ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମୟରେ ଦିଘାରେ ଜଗନ୍ନାଥ ମନ୍ଦିର ତିଆରି ହେବା ସହ ଏହି ସ୍ଥଳକୁ ଧାମ କରାଯାଇଥିଲା । ସେତେବେଳେ ଓଡ଼ିଶାରେ ପ୍ରବଳ ବିରୋଧ ସତ୍ତ୍ବେ ତତ୍କାଳୀନ ମମତା ବାନାର୍ଜୀଙ୍କ ସରକାର ଧାମ ଶବ୍ଦ ହଟାଇ ନଥିଲେ । ଗତବର୍ଷ ମେ’ ମାସରେ ମୋହନ ଚରଣ ମାଝୀ ଧାମ ଶବ୍ଦ ହଟାଇବାକୁ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସେତେବେଳେ ମମତା ବାନାର୍ଜୀ ଏହାକୁ ଗ୍ରହଣ କରି ନଥିଲେ । ଏବେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଧାମ ଶବ୍ଦ ହଟିବାକୁ ଯାଉଛି ।

ଦେଶର ଆଧ୍ୟାତ୍ମିକ ପରମ୍ପରାରେ ଚାରୋଟି ସ୍ଥାନକୁ ଧାମ ଘୋଷଣା କରିଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଶ୍ରୀକ୍ଷେତ୍ର ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଧାମ । ଯାହାକୁ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଆସନ୍ତା ଦୁଇଦିନ ଭିତରେ ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପୁରୀ ସାଂସଦ । ଏହାସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଗଣିତ ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କୁ କୃତଜ୍ଞତା ଜଣାଯାଇଛି ।

Latest Posts

Don't Miss