୧୨ରୁ ୯, ୯ରୁ ପୁଣି ୪: ଉଜ୍ବଳା ଯୋଜନା ଚଞ୍ଚକତାକୁ ନେଇ ସରକାର ଉପରେ ବର୍ଷିଲେ ବିରୋଧୀ
ନନ୍ଦିଘୋଷ ବ୍ୟୁରୋ: ଗ୍ୟାସ ଦର ବଢିବା ପରେ ଏବେ ମା’ଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛନ୍ତି ସରକାର । ଉଜ୍ବଳା ହିତାଧିକାରୀଙ୍କ ସିଲିଣ୍ଡରକୁ ଆହୁରି କମ କରି ହାଣ୍ଡିଶାଳରେ ସରକାର ପକାଇଛନ୍ତି ଚଡ଼କ । ଏଣିକି ୯ଟି ସିଲିଣ୍ଡର ବଦଳରେ ମାତ୍ର ୪ଟି ସିଲିଣ୍ଡର ମିଳିବ । ସରକାରଙ୍କ ଏହି ଉଜ୍ବଳା ଚଞ୍ଚକତା ବିରୋଧରେ ବର୍ଷିଛନ୍ତି ବିରୋଧୀ । ବିଜେପିକୁ ପ୍ରଲୋଭନ ଓ ପ୍ରତାରଣାର ସରକାର କହି ବିଜେଡି କଟାକ୍ଷ କରିଥିବା ବେଳେ, କ’ଣ ମହଙ୍ଗା ମାଡ଼ ବିଜେପି ମହିଳାଙ୍କୁ ବାଧୁନି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସେପଟେ ସରକାରଙ୍କ ପକ୍ଷରୁ ସଫେଇ ଦେବାକୁ ଯାଇ ପୁଣି ଥର ଯୁଦ୍ଧକୁ ଆଳ କରିଛି ବିଜେପି ।
୨୦୧୪ରେ କ୍ଷମତାକୁ ଆସିଲେ । ମା’ ମାନଙ୍କୁ ସ୍ବପ୍ନ ଦେଖାଇଲେ । ମା’ମାନେ ଆଉ ଚୁଲି ଫୁଙ୍କି ଅସୁସ୍ଥ ହେବେନି। ରୋଷେଇ ଘରେ ଏଲପିଜି ସିଲିଣ୍ଡରରେ ରୋଷେଇ କରିବେ । ଚୁଲି ଫୁଙ୍କି ଫୁଙ୍କି ଲୁହ ବାହାର କରି ଆଉ ମା’ଙ୍କ ଆଖି ଖରାପ ହେବନି । ଏପରି ସୁନେଲୀ ସ୍ବପ୍ନ ଦେଖାଇ ବିଜେପି ସରକାର ୨୦୧୬ ମସିହାରେ ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ହିଁ ମୁଣ୍ଡ ଟେକିଥିଲା ବିବାଦ । ରିଫିଲିଂ ଖର୍ଚ୍ଚ ସରକାର ଏତେ ବଢ଼ାଇଥିଲେ ଯେ, ଥରେ ସିଲିଣ୍ଡରରୁ ଗ୍ୟାସ ସରିଲେ ପୁଣି ଥରେ ବ୍ୟବହାର କରିବାକୁ ଡରିଲେ ମହିଳା । ଏତିକିରେ ସରକାରଙ୍କ ପ୍ରହେଳିକା ବନ୍ଦ ହେଲାନି ଯେ, ଉଜ୍ବଳା ଯୋଜନାରେ ଯେଉଁ ୧୨ଟି ସିଲିଣ୍ଡର ମିଳୁଥିଲା, ତାହା କମି ୯ରେ ପହଞ୍ଚିଲା । ହେଲେ ଏବେ ଦୁଇ ଦିନରେ ଡବଲ ଝଟକା ଦେଇଛନ୍ତି ସରକାର । ଦୁଇଥରେ ଘରୋଇ ଏଲପିଜି ଦରରେ ବଢ଼ିଲାଣି ୮୯ ଟଙ୍କା ବଢ଼ିଲା । ଉଜ୍ଜ୍ବଳା ସିଲିଣ୍ଡର ୯ରୁ ୪କୁ ଖସିଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି କୋଟି କୋଟି ଉଜ୍ବଳା ହିତାଧିକାରୀଙ୍କୁ ନିରାଶ କରିଛି । ସରକାରୀ ତୈଳ ବିପଣନ କମ୍ପାନୀ ଘରୋଇ ଏଲପିଜି ସିଲିଣ୍ଡର ପ୍ରତି ପ୍ରାୟ ୭୦୦ ଟଙ୍କା କ୍ଷତି ସହୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଛନ୍ତି ।
ହାଣ୍ଡିଶାଳକୁ ବାରମ୍ବାର ସରକାର ଟାର୍ଗେଟ କରୁଥିବାରୁ ବର୍ଷିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ମା’ଙ୍କ ଦୁଃଖ ଦୂର କରିବେ ବୋଲି କହି ଭୋଟ ନେଲା ବିଜେପି । ହେଲେ ଏବେ ୧୨ରୁ ୪କୁ ଖସିଲା ଉଜ୍ବଳା ସିଲିଣ୍ଡର । ଆଗକୁ ଶୂନ ହେବାକୁ ବେଶି ଦିନ ଲାଗିବନି । ଏହା ବିଜେପିର ଅସଲ ମୁଖାକୁ ପଦାରେ ପକାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପିର କଷଣରେ ଲୋକେ କେମିତି ଚଳିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କୁଆଡେ ଗଲେ ବିଜେପି ନେତ୍ରୀ ? ସେମାନଙ୍କୁ କ’ଣ ମହଙ୍ଗା ମାଡ଼ ବାଧୁନି ବୋଲି କଂଗ୍ରେସ ପଚାରିଛି ।
ବିଜେପି କିନ୍ତୁ ଅଜବ ଯୁକ୍ତି ବାଢ଼ିଛି । ଯୁଦ୍ଧ ଚାଲିଛି ଆଡଜଷ୍ଟ କର । ଯୁଦ୍ଧ ପାଇଁ ଖାଉଟି କ୍ଷତି ସହିଛନ୍ତି । ପ୍ରଧାନମନ୍ତ୍ରୀ କାଣ୍ଟଛାଣ୍ଟ କରି ଚାଲିବାକୁ ଅନୁରୋଧ କରିଥିଲେ । ତେଣୁ ଏଲପିଜି ଉପରେ ବଢୁଥିବା ସରକାରୀ ବ୍ୟୟ ଓ ଅନ୍ତର୍ଜାତୀୟ ବଜାରରେ ଉଚ୍ଚ ଇନ୍ଧନ ମୂଲ୍ୟ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ବିଜେପି ଯୁକ୍ତି ବାଢିଛି ।
ଉଜ୍ଜଳା ଯୋଜନାରେ ସିଲିଣ୍ଡର କମିବାରୁ କାଠ ବା ଗୋବର ଗ୍ୟାସରେ ରୋଷେଇକୁ ଫେରିବାକୁ ପଡ଼ିବ । ବାଧ୍ୟ ହୋଇ ମହିଳାମାନେ ପୁଣି ଧୂଆଁ ଦେଉଥିବା ଚୁଲି ବ୍ୟବହାର କରିବେ । ଏହାଦ୍ୱାରା ଆଖି ଜଳିବା ସହ ଫୁସଫୁସ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି । ବର୍ଷକୁ ୪ଟି ସିଲିଣ୍ଡରର ଅର୍ଥ ହେଉଛି ମାସକୁ ୦.୩୩ ସିଲିଣ୍ଡର । ଯାହା ୪ରୁ ୫ ଜଣିଆ ପରିବାର ପାଇଁ ଯଥେଷ୍ଟ ନୁହେଁ । ଏହା ଅର୍ଥନୈତିକ ବୋଝ ବି ବଢ଼ାଇବ । ୪ଟା ପରେ ସବସିଡି ବିନା ପୂରା ଦାମରେ ସିଲିଣ୍ଡର କିଣିବାକୁ ପଡ଼ିବ ।

