ଖରା ତାତିକୁ ବଳି ଗଲା ବଲାଙ୍ଗୀର ଜଳାଶୟ ରାଜନୀତି
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଖରାତାତି ଠୁ ବଳି ଯାଇଛି ଜଳାଶୟ ରାଜନୀତି । କଂଗ୍ରେସ ବରିଷ୍ଠ ନେତା ଓ ବଲାଙ୍ଗୀର ପୌରପାଳିକା ମଧ୍ୟରେ ଦୀର୍ଘଦିନ ହେବ ଚାଲିଥିବା ଶୀତଳ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି । ପୌରପାଳିକା ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ବିଭିନ୍ନ ସମୟରେ ବର୍ଷୁଥିବା କଂଗ୍ରେସ ବରିଷ୍ଠ ନେତାଙ୍କୁ ପୌରପାଳିକା ପକ୍ଷରୁ ଦିଆଯାଇଛି କଡା ଜବାବ । ଲକ୍ଷ୍ମୀଯୋର ପ୍ରକଳ୍ପରେ ହୋଇଥିବା ୨୦ କୋଟିର ଦୁର୍ନୀତି ନରସିଂହଙ୍କୁ ଦେଖାଯାଉନାହିଁ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି । ସେପଟେ ନରସିଂହ ମିଶ୍ର ମଧ୍ୟ ପାଲଟା ଜବାବ ଦେଇଛନ୍ତି ।
ଜଳାଶୟ ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ନରସିଂହଙ୍କ ପ୍ରତିବାଦ ଜାରି । ପୌରପାଳିକା ପକ୍ଷରୁ ଅନବରତ ଭାବେ ବଲାଙ୍ଗୀର ସହରର ବିକାଶମୂଳକ କାର୍ଯ୍ୟ ଚାଲିଛି । ପୂର୍ବ ସରକାରଙ୍କ ଅନୁଦାନରେ ବଲାଙ୍ଗୀରର ବିକାଶର ଚିତ୍ର ବଦଳିଛି । ସହରର ରାସ୍ତାଘାଟ, ଡ୍ରେନେଜ, ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ ସମସ୍ୟାର ସମାଧାନ କରାଯାଇଛି । ବିକାଶ ଦେଖି ସହ୍ୟ କରି ପାରୁନାହାନ୍ତି ବଲାଙ୍ଗୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନରସିଂହ ମିଶ୍ର ବୋଲି କହିଛନ୍ତି ପୌରଧକ୍ଷା । ନରସିଂହ ମିଶ୍ରଙ୍କ ବିଧାୟକ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ପରିବାରର କେବଳ ବିକାଶ ହୋଇଛି । କୌଣସି ପୋଖରୀର ପୁନରୁଦ୍ଧାର ସେ କରିନାହାନ୍ତି । ଲକ୍ଷ୍ମୀଜୋରକୁ ମିନି ବ୍ୟାଙ୍କକ କରିବାକୁ ୨୦ କୋଟି ଆଣିଥିଲେ । ଏବେ ମିନି ବ୍ୟାଙ୍କକ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ନରସିଂହ ମିଶ୍ରଙ୍କ ରକ୍ତରେ ଦୁର୍ନୀତି ଭର୍ତ୍ତି ହୋଇ ରହିଛି ବୋଲି ଅଭିଯୋଗ ହୋଇଛି । ନରସିଂହ ମିଶ୍ର ଯେଉଁ ଲକ୍ଷ୍ମୀଜୋରର ବିକାଶ କରିଥିଲେ ତାହା ବ୍ୟବହାର ଉପଯୋଗୀ ହୋଇନାହିଁ ବୋଲି ପୌରପାଳିକା ପକ୍ଷରୁ ଅଭିଯୋଗ ହୋଇଛି । ଯଦି ମହାରାଣୀ ସାଗର ଓ ଲକ୍ଷ୍ମୀଜୋରରେ ଦୁର୍ନିତି ହୋଇଛି ତାହା ହେଲେ ଭିଜିଲାନ୍ସ ତଦନ୍ତ କରୁ ବୋଲି କହିଛନ୍ତି ପୌରାଧକ୍ଷା ଓ କାଉନସିଲର ସଦସ୍ୟ ।

