ନନ୍ଦିଘୋଷ ବ୍ୟୁରୋ : ବିବାହ ପରେ ଖୁସିରେ ଉଡୁଥିଲେ ଦମ୍ପତି। ମନରେ ଥିଲା ଅନେକ ସ୍ବପ୍ନ ଓ ଆନନ୍ଦ। ହେଲେ ନିୟତିର ନିଷ୍ପତ୍ତି ଥିଲା ଭିନ୍ନ। ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲେ ସ୍ବାମୀ। ମାତ୍ର ବର୍ତ୍ତି ଯାଇଛନ୍ତି ପତ୍ନୀ। ଘଟଣା ଘଟିଛି ଆମେରିକା ଜର୍ଜିଆରେ। ଦୁର୍ଘଟଣାରେ ସ୍ବାମୀଙ୍କ ସମେତ ପ୍ରାଣ ହରାଇଛନ୍ତି ୨ ଜଣ। ଡେଲଟା ଏୟାର ଲାଇନ୍ସର ପାଇଲଟ ତଥା ଆଟଲାଣ୍ଟା ନିବାସୀ ୨୫ ବର୍ଷ ବୟସ୍କ ଡାଭେ ଫିଜି ଦାସୋନଭିଲେରେ ହେଲିକପ୍ଟର ଉଡାଣ କରୁଥିଲେ। ତାଙ୍କ ସହ ଥିଲେ ପତ୍ନୀ ଜେସନି। ୫ ଆସନ ବିଶିଷ୍ଟ ରବିନସନ ଚପ୍ପର ଅକସ୍ମାତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାରେ ଡାଭେଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସେହିଦିନ ହିଁ ସେମାନଙ୍କର ବିବାହ ହୋଇଥିଲା ଏବଂ ସେମାନେ ଖୁସିରେ ଆକାଶରେ ଉଡୁଥିଲେ। ଡାଭେଙ୍କ ପରିବାର କେରଳର ମୂଳନିବାସୀ। ବିମାନଟି ଘଞ୍ଚ ଜଙ୍ଗଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରୁଛି ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ। ଆସନ୍ତା ୩୦ ଦିନରେ ଆସିବ ରିପୋର୍ଟ।

