spot_img

Latest Posts

ପୁରୀରେ ହେବ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ; ଜୁନ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ

ନନ୍ଦିଘୋଷ ବ୍ୟୁରୋ : ପୁରୀରେ ହେବ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ଵିତୀୟ ବୈଷୟିକ ସମ୍ମିଳନୀ। ଆସନ୍ତା ଜୁନ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ପୁରୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ବ୍ରିକ୍ସ ସଦସ୍ୟ ହେଉଛନ୍ତି ଭାରତ, ରୁଷିଆ, ଚୀନ, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା। ଏହି ସମ୍ମିଳନୀରେ ଏହି ସବୁ ଦେଶର ପ୍ରତିନିଧି ଯୋଗ ଦେବେ। ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ । ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି । ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ BRICS ଦେଶମାନଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ-ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି l ଏହି ପରିପ୍ରେକ୍ଷୀରେ BRICS ରାଷ୍ଟ୍ରସମୂହଙ୍କୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀ ପୁରୀଠାରେ ଅୟୋଜିତ ହେବା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରିତ କରିବା ସହ ବିଶ୍ବସ୍ତରରେ ଓଡ଼ିଶାର ଛବିକୁ ଆହୁରି ସମୃଦ୍ଧ କରିବ।

Latest Posts

Don't Miss