ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସର ଏନକାଉଣ୍ଟର । ଫେରାର ଅଭିଯୁକ୍ତ ବଡ଼ଗଡ଼ ଥାନା ଅନ୍ତର୍ଗତ ନଉଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ପାଢ଼ୀ ସାହିର ସରୋଜ ପଣ୍ଡାଙ୍କୁ ପୋଲିସ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ । ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ପୋଲିସ ରାଜସ୍ଥାନରୁ ରଞ୍ଜନ, ସରୋଜଙ୍କ ସମେତ ଆଉ ଦୁଇ ଜଣଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଥିଲା । ଏହି ସମୟରେ ସଦର ଥାନା ଅନ୍ତର୍ଗତ ରତ୍ନପୁର ଠାରେ ଏମାନେ ରାତି ପ୍ରାୟ ୧୨ ଟାରେ ପରିସ୍ରା ଯିବା ପାଇଁ କହିଥିଲେ । ଜଣେ ASI ଓ କନେଷ୍ଟବଳ ଓହ୍ଲାଇ ଥିଲେ । ସେହି ସମୟରେ ପୋଲିସ କବଜାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ଦୁଇ ଅଭିଯୁକ୍ତ । ପୋଲିସର ସର୍ଭିସ ରିଭଲଭର୍ ନେଇ ପୋଲିସ ଉପରକୁ ଫାୟାରିଙ୍ଗ କରିବା ପରେ ପୋଲିସ ଏନକାଉଣ୍ଟର କରିଥିଲା । ପୋଲିସ ଗୁଳିରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କ ଗୋଡରେ ଆଘାତ ଲାଗିଛି । ଅଭିଯୁକ୍ତମାନେ ସୁଧୀର ପାତ୍ର ହତ୍ୟା ମାମଲାରେ ସୂର୍ଯ୍ୟ ପ୍ରତାପ ସିଂହ ଓରଫ ଗୋଲୁ ସହ ମିଶି ହତ୍ୟା କରିଥିଲେ । ସୁଧୀରଙ୍କ ଝିଆରୀ ନିବେଦିତା ତାଙ୍କ ପ୍ରେମିକ କାଳୁ ପ୍ରଧାନଙ୍କୁ ହତ୍ୟା ଯୋଜନା କହିଥିଲେ । କାଳୁ ଏହି ଦୁହିଁଙ୍କ ସହ ମିଶି ସୂର୍ଯ୍ୟ ପ୍ରତାପ ସିଂହ ଗୋଲୁକୁ ପୁରା ହତ୍ୟା ଯୋଜନା ରଚିଥିଲା । ସେଥିରେ ସୁରଟର ସୁମିତ୍ ସିଂ, ଗଞ୍ଜାମର ମୁକେଶ ସାହୁଙ୍କ ସମେତ ରଞ୍ଜନ ଓ ସରୋଜ ସାମିଲ ଥିଲେ। ସୁରଟରେ ରଞ୍ଜନ, ସୂରଜ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲେ । ପରେ ସେଠାରେ ଜେଲରେ ଅନ୍ୟ ଅଭିଯୁକ୍ତ ଙ୍କ ସହ ମିଶିଥିଲେ । ପୋଲିସ ଗୋଲୁକୁ ଗିରଫ କରିଥିଲେ ସୁଦ୍ଧା ଏମାନେ ସୁଯୋଗ ଦେଖି ଫେରାର ହୋଇଯାଇଥିଲେ । ରାଜସ୍ଥାନରେ ଏମାନେ ଥିବା ଖବର ପାଇ ପୋଲିସ ରାଜସ୍ଥାନରେ ଚଢ଼ାଉ କରି ଗିରଫ କରିଥିଲା ।
ଗତକାଲି ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ମୁଖ୍ଯ ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ପୋଲିସ ଗୁଳିରେ ଆହତ ହୋଇଛି । ଏହାକୁ ମିଶାଇ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏନାକାଉଣ୍ଟର ସଂଖ୍ୟା ୪ରେ ପହଞ୍ଚିଛି । ଗତକାଲି ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥକୁ ଏନକାଉଣ୍ଟର କରିଥିଲା ପୋଲିସ । ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୋଲିସ ଟିମ ଚଢ଼ାଉ କରି ଜଗାକୁ ଏନକାଉଣ୍ଟର କରିଥିଲା । ସେହିପରି ଗତ ୨୧ ତାରିଖରେ ବ୍ରହ୍ମପୁର ଗିରିରୋଡ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ଫେରାର ମୁକେଶ ସାହୁକୁ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର କରିଥିଲା । ଗତ ୧୮ ତାରିଖରେ ବ୍ରହ୍ମପୁର ଗିରିରୋଡ଼ରେ ଘଟିଥିଲା ଏହି ଚାଞ୍ଚଲ୍ୟକର ଘଟଣା । ଅତି ନିର୍ମମ ଭାବେ ବିଚ ରାସ୍ତାରେ ହୋଇଥିଲା ବର୍ବର ଆକ୍ରମଣ । ସେହିପରି ଗତ ୧୭ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧି ଦୀପୁନା ନାୟକ ପୋଲିସ ଗୁଳିରେ ଜଖମ ହୋଇଥିଲା । ଗୋପାଳପୁର ଥାନା ଅଞ୍ଚଳରେ ଛପି ରହିଥିବା ଲାଞ୍ଜିପଲ୍ଲୀ ଅଞ୍ଚଳର ଦୀପୁନା ନାୟକଙ୍କୁ ପୋଲିସ ପ୍ରଥମେ ଧରିଥିଲା । ଦୀପୁନାଙ୍କ ଅନ୍ୟ ସହଯୋଗୀ ମାନଙ୍କୁ ଧରିବା ପାଇଁ ପୋଲିସ ଦୀପୁନାଙ୍କୁ ନେଇ ଗୋଳନ୍ଥରା ଥାନା ଅନ୍ତର୍ଗତ କୀର୍ତ୍ତିପୁର ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଦୀପୁନା ପୋଲିସ ଉପରକୁ ବୋମା ଫିଙ୍ଗିଥିଲା । ଯାହାଫଳରେ ପୋଲିସ ବାଧ୍ୟ ହୋଇ ଦୀପୁନାଙ୍କୁ ଏନକାଉଣ୍ଟର କରିଥିଲା । ଆଜି ପୁଣି ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୋଲିସ ଦୁଇଜଣଙ୍କୁ ଏନକାଉଣ୍ଟର କରିଛି ।

