spot_img

Latest Posts

ବିଜେବି କଲେଜ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଛାତ୍ରଛାତ୍ରୀ ଓ ବିଜେଡିର ରାସ୍ତା ଅବରୋଧ

ବିଜେବି କଲେଜ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଛାତ୍ରଛାତ୍ରୀ ଓ ବିଜେଡିର ରାସ୍ତା ଅବରୋଧ

ନନ୍ଦିଘୋଷ ବ୍ୟୁରୋ: କଲେଜ କ୍ୟାମ୍ପସକୁ ଫେରିଲେ ଅଶାନ୍ତି ଲାଗୁଛି । ରାଜଧାନୀ ଭୁବନେଶ୍ବରର ପ୍ରିମିୟର ବିଜେବି କଲେଜରେ ଦୁଇ ଦିନ ତଳେ ହିଂସାକାଣ୍ଡ ଘଟି ଦୁଇ ଜଣ ଛାତ୍ର ଆହତ ହୋଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନଥିବା ଅଭିଯୋଗ କରି କଲେଜର ଛାତ୍ରଛାତ୍ରୀ ଓ ଯୁବ ବିଜେଡ ଆଜି କଲେଜ ସାମ୍ନାରେ ଥିବା ପୁରୀ-ଭୁବନେଶ୍ବର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଏହାକୁ ଦେଖି ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।

ବାଣୀବିହାର ପରେ ବିଜେବି କଲେଜ । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ଜଣାନାହିଁ । ହେଲେ ହିଂସାକାଣ୍ଡରେ ବ୍ରେକ ଲାଗୁନି । ଗତ ଏପ୍ରିଲ ୩୦ ତାରିଖରେ ବିଜେବି କଲେଜର ଦୁଇ ଜଣ ଛାତ୍ରଙ୍କୁ ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କଲେଜରେ ଅଧ୍ୟକ୍ଷା ବି ମାମଲା ରୁଜୁ କରିଛନ୍ତି । ହେଲେ ମୁଖ୍ୟ ଅଭିଯୁକ୍ତମାନେ ଏବେ ଖୋଲା ଆକାଶ ତଳେ ବୁଲଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ବିଜେବି କଲେଜ ଛାତ୍ରଛାତ୍ରୀ ଓ ଯୁବ ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲେ । କଲେଜ ସାମ୍ନାରେ ରାସ୍ତା ଅବରୋଧ କରିବା ସହ ସରକାର, ପୋଲିସ ଓ ପ୍ରଶାସନ ବିରୋଧରେ ନାରାବାଜି କରି ଟାୟାର ଜାଳିଥିଲେ । ଫଳରେ ଦୀର୍ଘ ସମୟ ଧରି ଉଭୟ ପଟୁ ଗାଡ଼ିମୋଟର ଅଟକି ରହିଥିଲା । ବିଜେପିର ଇଙ୍ଗିତରେ ପୋଲିସ କାମ କରୁଥିବା ଅଭିଯୋଗ କରି ମୁଖ୍ୟ ଅଭିଯୁକ୍ତ ଗିରଫ ନ ହେଲେ ଡିସିପି ଅଫିସ ଘେରାଉ ଲାଗି ଚେତାବନୀ ଦିଆଯାଇଛି ।

ସେପଟେ ଏହି ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା । କଲେଜରେ ହିଂସାକାଣ୍ଡ କିପରି ନଘଟିବ ସେ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ମତ ଦେଇଛନ୍ତି । ବିଜେବି କଲେଜ ହିଂସାକାଣ୍ଡ ଘଟଣାରେ ନିୟମକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଛନ୍ତି । ସେହିପରି ବିଜେପି ସରକାର ଅମଳରେ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ । ଏହା ବିରୋଧରେ ଆବଶ୍ୟକ ପଡିଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

୨୦୧୯ରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରହିଛି । ବିଜେପି ସରକାର ଆସିବା ପରେ ଏହା ପୁନଃ ଆରମ୍ଭ କରିବାର ପ୍ରତିଶୃତି ଦେଇଥିଲା । ହେଲେ ଦୁଇ ବର୍ଷ ବିତିଗଲା, ନିର୍ବାଚନ ହୋଇ ପାରିଲା ନାହିଁ । ସେପଟେ କ୍ୟାମ୍ପସରେ ହିଂସାକାଣ୍ଡ ଓ ରାଗିଂ ଅଭିଯୋଗ ମଧ୍ୟ ଥମୁନି । ଏପରି ସ୍ଥିତିରେ କଲେଜ ଗୁଡ଼ିକରେ ଶୈକ୍ଷି ବାତାବରଣ ଫେରାଇ ଆଇବାରେ ସରକାର ମୁଖ୍ୟ ଭୂମିକା ନେବାର ଆବଶ୍ୟକତା ରହିଛି ।

Latest Posts

Don't Miss