spot_img

Latest Posts

ଟ୍ରମ୍ପ ବନାମ ପୋପ୍ , ବିବାଦୀୟ AI ଫଟୋ

ନନ୍ଦିଘୋଷ ବ୍ୟୁରୋ : ବିବାଦର ଅନ୍ୟନାମ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ଓ ବିବାଦ ଏହା ନୀତି ଦିନିଆ କଥାରେ ପରିଣତ ହୋଇସାରିଲାଣି । ଏବେ ଖ୍ରୀଷ୍ଟ ଧର୍ମର ଲୋକ ଟ୍ରମ୍ପଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆମେ ଜାଣିଛୁ ଟ୍ରମ୍ପ ନିଜ ‘ମାଗା’ ନୀତି ଓ ଟାରିଫ ପାଇଁ ବେଶ ଚର୍ଚ୍ଚାରେ । ଆମେରିକାରେ ଖ୍ରୀଷ୍ଟ ଧର୍ମରେ ବିଶ୍ୱାସ କରୁଥିବା ଅନେକ ଲୋକ ଟ୍ରମ୍ପଙ୍କୁ ସମର୍ଥନ କରନ୍ତି । ରିପବ୍ଲିକାନ୍ ପାର୍ଟିର ଅନେକ ସମର୍ଥକ ଯୀଶୁ ଖ୍ରୀଷ୍ଟ ଓ ଖ୍ରୀଷ୍ଟ ଧର୍ମ ଉପରେ ଗଭୀର ଆସ୍ଥା ରଖନ୍ତି । କିନ୍ତୁ ଲାଗୁଛି ଟ୍ରମ୍ପଙ୍କ ପାଇଁ ଏବେ ସବୁ କିଛି ଗଡ଼ବଡ଼ ହୋଇଯାଇପାରେ । ବିଶ୍ୱରେ ପ୍ରାୟ ୨୬୪ କୋଟି ଖ୍ରୀଷ୍ଟିୟାନ୍ ଅଛନ୍ତି । ଟ୍ରମ୍ପଙ୍କ ଏକ ପୋଷ୍ଟ କିନ୍ତୁ ଏବେ ପୁରା ଖ୍ରୀଷ୍ଟ ଧର୍ମଲୋକଙ୍କ ବିଶ୍ୱାସକୁ ଆଘାତ ଦେଇଛି ।

୧୨ଏପ୍ରିଲରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ୍‌ରେ AIରେ ତିଆରି ଏକ ଫଟୋ ସେୟାର କରିଥିଲେ , ଯେଉଁଥିରେ ସେ ନିଜକୁ ଯୀଶୁ ଖ୍ରୀଷ୍ଟଙ୍କ ଭଳି ଚମତ୍କାର କରୁଥିବା ଦର୍ଶାଇଥିଲେ ।ଏହି ଫଟୋରେ ସେ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ସ୍ପର୍ଶ କରୁଥିବାର ଚିତ୍ର ଥିଲା , ଯାହାକୁ ବାଇବଲ୍‌ରେ ବର୍ଣ୍ଣିତ ଘଟଣାରୁ ପ୍ରେରିତ ବୋଲି କୁହାଯାଉଛି। ଫଟୋରେ ଆମେରିକୀୟ ପତାକା, ସାମରିକ ବିମାନ ଏବଂ ସ୍ୱର୍ଗଦୂତ ପରି ପ୍ରତୀକ ମଧ୍ୟ ରହିଥିଲା । ଯାହା ଫଳରେ ବିବାଦ ସୃଷ୍ଟି ହୋଇଥିଲା । ବ୍ୟାପକ ସମାଲୋଚନା ପରେ ସେ ଏହି ଫଟୋକୁ ଡିଲିଟ୍ କରିଦେଇଛନ୍ତି ଟ୍ରମ୍ପ । ପରେ ସଫାଇ ଦେଇ କହିଛନ୍ତି ଯେ ସେ ନିଜକୁ ଜଣେ ଡାକ୍ତର ଭାବରେ ଉପସ୍ଥାପିତ କରିଥିଲେ, ଯୀଶୁ ଖ୍ରୀଷ୍ଟ ଭଳି ନୁହେଁ। ଟ୍ରମ୍ପ କହୁଛନ୍ତି ସେ ଫଟୋରେ ତାଙ୍କୁ ଏକ ଡାକ୍ତରଙ୍କ ରୂପରେ ଵର୍ଣ୍ଣନା କରାଯାଇଛି ସେ ଲୋକମାନଙ୍କୁ ସୁସ୍ଥ କରୁଛନ୍ତି ।

ବର୍ତ୍ତମାନର ପୋପ୍ ଲିଓ ଯିଏ ମୂଳତଃ ଆମେରିକୀୟ ପୋପ୍ । ସେ ବାରମ୍ବାର ଆମେରିକା-ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ଚାଲୁଥିବା ଯୁଦ୍ଧକୁ ଅନ୍ୟାୟ, ଅମାନବୀୟ ଏବଂ ଅନୈତିକ ବୋଲି ସମାଲୋଚନା କରିଛନ୍ତି। ସେ ଯୁଦ୍ଧବିରାମ, କଥାବାର୍ତ୍ତା ଏବଂ ଶାନ୍ତି ଆଲୋଚନା ପାଇଁ ଆହ୍ୱାନ୍ ଦେଇଛନ୍ତି ଏବଂ କହିଛନ୍ତି ଯେ “ଈଶ୍ୱର କୌଣସି ଯୁଦ୍ଧକୁ ଆଶୀର୍ବାଦ କରନ୍ତି ନାହିଁ” ଏବଂ “ନିର୍ଦ୍ଦୋଷ ଲୋକଙ୍କ ରକ୍ତପାତ କୌଣସି କାରଣରେ ସମର୍ଥନ ଯୋଗ୍ୟ ନୁହେଁ”। ପୋପ୍ ଙ୍କ ଏହି ବୟାନ କିନ୍ତୁ ଟ୍ରମ୍ପଙ୍କୁ ପସନ୍ଦ ଆସିନାହିଁ ।
ଟ୍ରମ୍ପ ପୋପ୍‌ଙ୍କୁ କଡା ଆକ୍ରମଣ କରି ଟ୍ରୁଥ୍ ସୋସିଆଲ୍‌ରେ ଲେଖିଥିଲେ ଯେ ପୋପ୍ “ଅପରାଧ ପ୍ରତି ଦୁର୍ବଳ ମନୋଭାବ ରଖୁଛନ୍ତି ” ଏବଂ “ବିଦେଶ ନୀତିରେ ସେ ଅତ୍ୟନ୍ତ ଖରାପ”। ସେ ଆହୁରି କହିଛନ୍ତି — “ମୁଁ ଏପରି ପୋପ୍ ଚାହୁଁ ନାହିଁ ଯିଏ ଇରାନ ପରମାଣୁ ଅସ୍ତ୍ର ରଖିବା ଠିକ ବୋଲି ବିବେଚନା କରୁଛନ୍ତି ” ଏବଂ “ଯଦି ମୁଁ ହ୍ୱାଇଟ୍ ହାଉସ୍‌ରେ ନଥାନ୍ତି ତେବେ ଲିଓ ଭାଟିକାନ୍‌ରେ ପୋପ୍ ହୋଇପାରିନଥାନ୍ତେ” । ଟ୍ରମ୍ପ ପୋପ୍‌ଙ୍କ ଉପରେ କଟ୍ଟର ବାମପନ୍ଥୀଙ୍କୁ ସମର୍ଥନ କରିବା ଏବଂ ରାଜନୀତି କରୁଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି।

ଅନ୍ୟପକ୍ଷରେ, ପୋପ୍ ମଧ୍ୟ କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନକୁ ସେ ଭୟ କରନ୍ତି ନାହିଁ ଏବଂ ଯୁଦ୍ଧ ବିରୋଧରେ ସେ କଥା କହିବା ଜାରି ରଖିବେ। ଇରାନ୍ ରାଷ୍ଟ୍ରପତି ମସୁଦ୍ ପେଜେଶ୍କିୟାନ୍ ମଧ୍ୟ ପୋପ୍‌ଙ୍କୁ ସମାଲୋଚନା କରିବା ପରେ ଟ୍ରମ୍ପଙ୍କୁ କଠୋର ନିନ୍ଦା କରିଛନ୍ତି। ପେଜେଶ୍କିୟାନ୍ ଏକ୍ସରେ ଲେଖିଛନ୍ତି ଯେ “ମହାମହିମ୍ ପୋପ୍ ଲିଓ, ମୁଁ ଇରାନ୍ ତରଫରୁ ଆପଣଙ୍କ ଅପମାନର ନିନ୍ଦା କରୁଛି। ଯୀଶୁ ଖ୍ରୀଷ୍ଟଙ୍କ ଅପମାନ ସମ୍ପୂର୍ଣ୍ଣ ଅସ୍ୱୀକାର ଯୋଗ୍ୟ”। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୋପ୍ ଙ୍କ ବିରୋଧରେ ଏପରି ମନ୍ତବ୍ୟ ସହ୍ୟ କରାଯାଇପାରିବ ନାହିଁ।

ଆମେରିକୀୟ ମୂଳର ପ୍ରଥମ ପୋପ୍ ଲିଓ ଗତ କିଛି ସପ୍ତାହରେ ଇରାନ ଉପରେ ଆମେରିକାର ସାମରିକ ହସ୍ତକ୍ଷେପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଇରାନ୍, ଲେବାନନ୍ ଏବଂ ଆଞ୍ଚଳିକ ସଂଘର୍ଷ ଉପରେ ସେ ବାରମ୍ବାର ଯୁଦ୍ଧବିରାମ ଏବଂ କୂଟନୈତିକ ସମାଧାନର ସମର୍ଥନ କରିଛନ୍ତି। ଗତ ସପ୍ତାହରେ ସେ କହିଥିଲେ ଯେ ସର୍ବଶକ୍ତିମାନ୍ ହେବାର ଭ୍ରମ ଇରାନ୍‌ରେ ଆମେରିକା-ଇସ୍ରାଏଲ୍ ଯୁଦ୍ଧକୁ ଉତ୍ସାହିତ କରୁଛି। ଲେବାନନ୍‌ରେ ଇସ୍ରାଏଲୀ ସାମରିକ କାର୍ଯ୍ୟକଳାପ ଉପରେ ତୁରନ୍ତ ସଂଘର୍ଷ ବିରାମର ଆହ୍ୱାନ୍ କରିଛନ୍ତି ପୋପ୍ । ପୋପ୍ ଲିଓ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ରାଜନୈତିକ ସଂଘର୍ଷରେ ସେ ପଡ଼ିବାକୁ ଚାହୁଁ ନାହାନ୍ତି ଏବଂ ଯୁଦ୍ଧ ବିରୋଧରେ ନିଜର ସ୍ୱର ଉଠାଇବା ସେ ଜାରି ରଖିବେ।

ପୋପ୍ ବନାମ ଟ୍ରମ୍ପ ଏ ବିବାଦ ଚାଲିଥିବା ବେଳ ଟ୍ରମ୍ପଙ୍କ ବିବାଦୀୟ AI ଫଟୋ ପୋଷ୍ଟ କରିବା ଏବେ ପୁରା ବିଶ୍ୱରେ ଖ୍ରୀଷ୍ଟ ଧର୍ମର ଲୋକଙ୍କ ମନରେ ଆଘାତ ଦେଇଛି ।

Latest Posts

Don't Miss