ମାଥିଲି : ମନରେଗା ନାଁରେ ମହାଦୁର୍ନୀତି । ପୋଖରୀ ଖୋଳାରେ ମହାଘୋଟାଲା। ଗୋଟିଏ ପୋଖରୀକୁ ୨ ଜଣ ହିତାଧିକାରୀ। ନୂଆ ପୁରୁଣା ଦେଖାଇ ଅର୍ଥ ଗିଳିଦେଲେ ଅଧିକାରୀ। ମାଲକାନଗିରି ମାଥିଲି ବ୍ଲକ ଚେଡେଙ୍ଗା ପଞ୍ଚାୟତ ସର୍ଗୀଗୁଡ଼ା ଗାଁରୁ ଏଭଳି ଅଭିଯୋଗ ହୋଇଛି । ରାସ୍ତାପାର୍ଶ୍ବରେ ଗାଁର ଗୋପୀ ଦୋରାଙ୍କ ନାଁରେ ପୋଖରୀ ଉନ୍ନତିକରଣ ହୋଇଛି। କିନ୍ତୁ ଜମିକୁ ଦେଖାଇ ଅଧା ବିଲ ନେଇଯାଇଛନ୍ତି ବାବୁ। ନିଜେ ହିତାଧିକାରୀ ହାତରୁ ୧୦ ହଜାର ଖର୍ଚ୍ଚ କରି ସାମାନ୍ୟ ଖନନ କରିଛନ୍ତି। ବର୍ଷେ ବିତିଯାଇଥିଲେ ସୁଦ୍ଧା ଅର୍ଥ ଦେଉନାହାନ୍ତି କି ପୋଖରୀ ଖନନ କହୁନାହାନ୍ତି ମନରେଗା ଅଧିକାରୀ । ମନରେଗା ଯୋଜନାରେ ୨୦୨୪ – ୨୫ ଆର୍ଥିକ ବର୍ଷରେ ୧ ଲକ୍ଷ ୮୦ ହଜାର ବ୍ୟୟ ଅଟକଳ ହୋଇଥିଲା । ହେଲେ କାମ ନ କରି ଅର୍ଥ କେମେତି ଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ? ।
ସେହିଭଳି ଭଗତ ମାଛାଙ୍କ ପୋଖରୀ ଖନନରେ ମଧ୍ୟ ଦୁର୍ନୀତି ଅଭିଯୋଗ ହୋଇଛି। ପୂର୍ବରୁ ଏହା ମୃତ ବନସିଂ ମାଛାଙ୍କ ପୁରୁଣା ପୋଖରୀ ଥିଲା । ସେହି ପୋଖରୀକୁ ସାମାନ୍ୟ ଖୋଳି ୨୦୨୪ – ୨୫ ଆର୍ଥିକ ବର୍ଷରେ ଭଗତ ମାଛାଙ୍କ ନାଁରେ ନୂଆ ପୋଖରୀ ଦେଖାଯାଇଛି। ଯାହାର ବ୍ୟୟ ଅଟକଳ ୧ ଲକ୍ଷ ୮୦ ହଜାର ଟଙ୍କା ରହିଛି। ନିଜେ ହିତାଧିକାରୀ ସାମାନ୍ୟ ଖୋଳିଥିବାବେଳେ ତାଙ୍କୁ ମାତ୍ର ୫ ହଜାର ଟଙ୍କା ଦେଇ ସବୁ ଅର୍ଥ ଉଠାଇ ନେଇଛନ୍ତି ବାବୁମାନେ। ସେହିଭଳି ଅନ୍ୟ ହିତାଧିକାରୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଯାହାକୁ ଖଣ୍ଡନ କରିଛନ୍ତି ବିଭାଗୀୟ ଅଧିକାରୀ। ମନରେଗା ପ୍ରକଳ୍ପରେ ଖାଲି ପୋଖରୀ ଖନନ ନୁହଁ ବରଂ ବିଭିନ୍ନ ପ୍ରକଳ୍ପ ଉପରେ ହୋଇଛି ଦୁର୍ନୀତି । ଉପର ଠାଉରିଆ ସଫେଇ ଦେଇ ବାବୁ ମାନେ କରୁଛନ୍ତି ଅର୍ଥଆତ୍ମସାତ୍ ।ଏହାର ଉଚ୍ଚ ତଦନ୍ତ ହେଲେ ଖୋଲିପାରନ୍ତା ବାବୁମାନଙ୍କ ଅସଲ ମୁଖା ।

