ଦୁଇଟି ସ୍ଥାନରେ ତିନୋଟି ବସ୍ ଦୁର୍ଘଟଣା; ଜଣେ ମୃତ, ୪୦ରୁ ଅଧିକ ଯାତ୍ରୀ ଆହତ
ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ଓ କୋରାପୁଟ ଜିଲ୍ଲା ସୁଙ୍କି ଥାନା ଅଞ୍ଚଳରେ ତିନୋଟି ବସ୍ ଦୁର୍ଘଟଣାଗ୍ରସ୍ତ । ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
୬୦ ପୁଟ ତଳକୁ ଖସିଲା ଓଏସଆରଟିସି ବସ୍
ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ସୁଙ୍କି ଥାନା ନିକଟରେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ଟି ଭାରସାମ୍ୟ ହରାଇ ୬୦ ଫୁଟ ପାହାଡ ତଳକୁ ଖସି ପଡ଼ିଥିଲା । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ କଲମପୁର୍ ବ୍ଲକ ଅଧୀନ ବଲାଗାଁ ଗ୍ରାମର ଜାମ୍ବବ ବିହାରୀ । ତାଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଛି । ଦୁର୍ଘଟଣା ପରେ ବସ୍ ତଳେ କିଛି ଯାତ୍ରୀ ଚାପି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ବସଟି ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ଅଗ୍ନିଶମ କର୍ମଚାରୀ ମିଳିତ ଭାବେ ଆହତଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏହିପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି ।
ଓଭର ଟେକ ପ୍ରତିଯୋଗିତା ହେଲା କାଳ
ଅନ୍ୟପଟେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଦୁଇ ବସ୍ ଡ୍ରାଇଭରଙ୍କ ମଧ୍ୟରେ ଓଭର ଟେକ ପ୍ରତିଯୋଗିତା ଯାତ୍ରୀଙ୍କ ପାଇଁ ହେଲା କାଳ । ଦୁଇ ବସ୍ ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । କଟକ-ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରେ ୧୦ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗରୁତର ରହିଛି । ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟ ବସର ୫୦ରୁ ଅଧିକ ଯାତ୍ରୀ ଥିଲେ ।
ମିଳିଥିବା ସୂଚନା ଅନୁସାରେ ମହାଲକ୍ଷ୍ମୀ ଓ ପପୁ ନାମକ ବସ୍ ଦୁଇଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ । ତେବେ ପ୍ରତିଯୋଗିତା ମନୋଭାବ ଯୋଗୁଁ ଏହିଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଓଭର ଟେକ୍ ହିଁ ବିପଦର କାରଣ ସାଜିଛି । ମହାଲକ୍ଷ୍ମୀ ପପୁ ବସକୁ ହଠାତ ଓଭର ଟେକ୍ କରିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ।

