ନନ୍ଦିଘୋଷ ବ୍ୟୁରୋ : ଆସାମ, କେରଳ ଓ ପୁଡୁଚେରୀର ଜାରି ରହିଛି ମତଦାନ। ଆସାମରେ ୧୨୬ ଆସନ ଲାଗି ୭୨୨, କେରଳର ୧୪୦ ଆସନ ଲାଗି ୮୮୩, ପୁଡୁଚେରୀର ୩୦ ଆସନ ଲାଗି ଅଛନ୍ତି ୨୯୪ ପ୍ରାର୍ଥୀ। ମୋଟ ୨୯୬ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୧୮୯୯। ଆସାମରେ ୩୧ ହଜାର ୪୯୦ ବୁଥରେ ମତଦାନ କରୁଛନ୍ତି ପ୍ରାୟ ଅଢ଼େଇ କୋଟି ଭୋଟର। କେରଳରେ ୩୦ ହଜାର ୪୯୫ ବୁଥରେ ମତଦାନ କରୁଛନ୍ତି ପ୍ରାଯ ୨ କୋଟି ୭୧ ଲକ୍ଷ ଭୋଟର। ପୁଡୁଚେରୀରେ ମତଦାନ କରୁଛନ୍ତି ପ୍ରାୟ ୯ ଲକ୍ଷ ୫୦ ହଜାର ଭୋଟର ।
ମଇଦାନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ବାମୀ ପ୍ରାର୍ଥୀ ଅଛନ୍ତି। ଆସାମ ଜଲୁକବାଡିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ତାଙ୍କୁ ଟକ୍କର ଦେଉଛନ୍ତି ରାଇଜୋର ପାର୍ଟିର ରୋମେନ ଚନ୍ଦ୍ର ବର୍ଥାକୁର। ଜୋରହାଟରୁ ଲଢୁଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗଇ। ତାଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ହିତେନ୍ଦ୍ରନାଥ ଗୋସ୍ବାମୀ। ଗୁଆହାଟି ସେଣ୍ଟ୍ରାଲରୁ ଲଢୁଛନ୍ତି କଂଗ୍ରେସ ସମର୍ଥିତ ଏଜେପି ପ୍ରାର୍ଥୀ କୁନକୀ ଚୌଧୁରୀ। କେରଳର ଧର୍ମଦମ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ସିପିଏମ ପ୍ରାର୍ଥୀ ପିନରୟୀ ବିଜୟନ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ଭି.ପି. ଅବଦୁଲ ରସିଦ। ହରିପାଦରୁ ଲଢୁଛନ୍ତି ବରିଷ୍ଠ କଂଗ୍ରେସ ନେତା ରମେଶ ଚେନିଥାଲା। ମଞ୍ଜେଶ୍ବରମରୁ ଲଢୁଛନ୍ତି ବିଜେପି ହେଭିୱେଟ କେ. ସୁରେନ୍ଦ୍ରନ। କେରଳରେ ଏଥର ଏଲଡିଏଫ ଓ ୟୁଡିଏଫ ମଧ୍ଯରେ ହେବ ଜୋରଦାର ଟକ୍କର। ପୁଡୁଚେରୀର ଥଟ୍ଟନଚାବଡ଼ିରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଏଆଇଏନଆରସି ପ୍ରାର୍ଥୀ ଏନ. ରଙ୍ଗାସ୍ବାମୀ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଭି. ବୈଥିଲିଙ୍ଗମ।

