ନନ୍ଦିଘୋଷ ବ୍ୟୁରୋ : ଭାରତର ଏଲପିଜି ଜାହାଜକୁ ଅଟକାଇବ ନାହିଁ ଇରାନ। ଭାରତ ଆସୁଥିବା ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଛାଡ଼ିବ। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ତେହେରାନ। ଖୁବ ଶୀଘ୍ର ଦୁଇଟି ଜାହାଜ ଭାରତରେ ପହଞ୍ଚିବ। ନୂଆଦିଲ୍ଲୀରେ ଥିବା ଇରାନର ରାଷ୍ଟ୍ରଦୂତ କହିଛନ୍ତି, ଭାରତ ହେଉଛି ଆମର ବନ୍ଧୁ ରାଷ୍ଟ୍ର। ତେଣୁ ଭାରତର ଜାହାଜକୁ ଅଟକା ଯିବ ନାହିଁ। ଇରାନର ଏହି ନିଷ୍ପତ୍ତି ପରେ ଦେଶରେ ଏଲପିଜି ସଂକଟର ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇପାରେ। ସେପଟେ ଯୁଦ୍ଧ ଜୋରଦାର ହୋଇଛି। ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ଇରାନ ଉପରେ ଇସ୍ରାଏଲ ଅନେକ କ୍ଷେପଣାସ୍ତ୍ର ବର୍ଷା କରିଥିବା ବେଳେ ଇରାନ ଦେଇଛି ଏହାର ଜବାବ। ଏପରିକି ଆମେରିକାର ସେନା ଶିବିର ଥିବା ଦୁବାଇ ଓ ରିୟାଦ ଉପରେ ଆକ୍ରମଣ କରିଛି ଇରାନ। ଲାଗୁଛି ଏବେ ଯୁଦ୍ଧ ଥମିବ ନାହିଁ। ଦିନକୁ ଦିନ ଆହୁରି ସଂକଟଜନକ ରୂପ ନେଇଛି ଏହି ଯୁଦ୍ଧ। … ଏହି ଯୁଦ୍ଧରେ ଇରାନର ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ଓ ଆମେରିକାର ସହଯୋଗୀ ଦେଶ ମଧ୍ୟ ଅନେକ କ୍ଷତି ସହିଲେଣି।

