ହାତଗଣ୍ଠି ପୂର୍ବରୁ ପଡ଼ିଲା ହାତକଡ଼ି, ଅଧାବାଟରୁ ବରକୁ ଉଠାଇଲା ବାଙ୍କୀ ପୋଲିସ

1 min read

ଆଠଗଡ଼: ଫୁଲରେ ସଜା ହୋଇଥିଲା ବର ଗାଡ଼ି । ବରକୁ ପାଛୋଟି ନେବାକୁ ପ୍ରସ୍ତୁତ ଥିଲେ କନିଆ ଘର ଲୋକେ । ଭୋଜି ଭାତ ଆୟୋଜନ ବି ସରିଥିଲା । କିନ୍ତୁ ହାତଗଣ୍ଠି ପଡ଼ିବା ବଦଳରେ ବର ହାତରେ ପଡ଼ିଲା ହାତକଡ଼ି । ବାହା ହେବାକୁ ଯାଉଥିବା ବରକୁ ରାସ୍ତାରୁ କରି ନିଆଗଲା ଅପହରଣ । ମଝି ରାସ୍ତାରେ ଗାଡ଼ି ଅଟକାଇ ବରକୁ ଉଠାଇନେଇଥିଲା ପୋଲିସ ।

ସମ୍ପୂର୍ଣ୍ଣ ଫିଲ୍ମି ଷ୍ଟାଇଲରେ ସବୁକିଛି ଘଟିଯାଇଥିବା ବେଳେ ପରିବାର ଲୋକ କିଛି ବୁଝି ପାରିନଥିଲେ । ଆଠଗଡ଼ ଥାନା ସାପୁଆ ବ୍ରିଜ ନିକଟରୁ ଏକ ବୋଲେରୋ ଗାଡ଼ିରେ ସାଧା ପୋଷାକରେ ଆସି ବରକୁ ଉଠାଇନେଇଥିଲା ପୋଲିସ । ପୁଅକୁ ମୁକୁଳାଇବା ପାଇଁ ଥାନାର ଦ୍ଵାରସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟିଥିଲା । ୨୦୧୮ ମସିହା କଦଳୀବାଡ଼ିରେ ଏକ ହତ୍ୟା ମାମଲାରେ ସଂପୃକ୍ତ ଥିଲା ବର । ତେବେ ୨ ବର୍ଷ ହେଲା ପୋଲିସକୁ ଚକ୍‌ମା ଦେଇ ଫେରାର ଥିଲା ।

ଢେଙ୍କାନାଳ ଜିଲ୍ଲା ତାଳ-ବରକୋଟ ଗାଁର ପ୍ରକାଶ ସ୍ୱାଇଁ ବାହା ହେବା ପାଇଁ ଆଠଗଡ଼ ସମସରପୁରକୁ ଯାଉଥିଲେ । ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହୋଇଥାନ୍ତା । ହେଲେ ମାତ୍ର ଘଣ୍ଟାଏ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଖବର ଆସିଲା ଅଧା ବାଟରୁ ବରକୁ ଉଠାଇ ନେଇଛି ପୋଲିସ । ସେପଟେ ପୁଅକୁ ଆଜି ପର୍ଯ୍ୟନ୍ତ ଗିରଫ ନକରି ବାହା ହୋଇ ଯିବା ବେଳେ ଗିରଫ କରିବା ଘଟଣାକୁ ପରିବାର ଲୋକ ନିନ୍ଦା କରିଛନ୍ତି । ମଙ୍ଗୁଳା ଝିଅ ପାଇଁ ପୁଅକୁ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକ ।

ମାତ୍ର ୧୫ ଦିନ ମଧ୍ୟରେ ରାଜ୍ୟରେ ଏମିତି ୪ଟି ଘଟଣା ଘଟିଛି । ଯେଉଁଠି ବାହାଘର ପୂର୍ବରୁ ବରକୁ ଉଠାଇନେଇଛି ପୋଲିସ । ଏ ଘଟଣା ପରେ ଏବେ ବରର ଚରିତ୍ର ବାବଦରେ ଝିଅ ଘର ଅନୁସନ୍ଧାନ କରୁଛନ୍ତି କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply