ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍: ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିରଙ୍କ ପରାମର୍ଶଦାତାଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ବଢ଼ିବାରେ ଲାଗିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା । ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ଆଫଗାନିସ୍ତାନ ପାଲଟା ଆକ୍ରମଣ କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଶୁକ୍ରବାର ପାକିସ୍ତାନର ସୈନ ଠିକଣା ଉପରେ ଏୟାରଷ୍ଟ୍ରାଇକ କରାଯାଇଛି । ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣର ଏହା ପ୍ରତି ଉତ୍ତର ଥିଲା । ସକାଳ ୧୧ଟା ସମୟରେ ଆଫଗାନ ବାୟୁସେନା ପାକିସ୍ତାନ ରାଜଧାନୀ ଇସଲାମାବାଦ ନିକଟ ଫୈସଲାବାଦ ସହରରେ ଥିବା ସୈନ ଠିକଣାକୁ ଟାର୍ଗେଟ କରାଯାଇଥିଲା । ଏହାବାଦ ନୌଶେରାରେ ଥିବା ଆର୍ମି କ୍ୟାଣ୍ଟନମେଣ୍ଟ, ମଜରୁଦରେ ଥିବା ସୈନ୍ୟ କଲୋନୀ ଏବଂ ଏବଟାବାଦରେ ଥିବା ଏକାଧିକ ସୈନ୍ୟ ଠିକଣା ଉପରେ ଆକ୍ରମଣ କରାଯାଇଛି । ଇସଲାମାବାଦରେ ହୋଇଥିବା ଏୟାରଷ୍ଟ୍ରାଇକରେ ପାକିସ୍ତାନ ସେନାମୁଖ୍ୟ ଆସିମ ମୁନିରଙ୍କ ପରାମର୍ଶଦାତା ଆଶିକଙ୍କ ମୃତ୍ୟୁ ଘଟିଛି ।
ଆଫଗାନ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି, ଏହି ଅପରେସନ ସଫଳତାର ସହ କରାଯାଇଛି । ଏଥିରେ ପାକିସ୍ତାନ ସେନାର ଗୁରୁତ୍ବପୂର୍ଣ୍ଣ ଠିକଣା, ସେନା କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା । ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଆମେ ଯେଉଁ ଆକ୍ରମଣ କରିଛୁ ଏହା ଆରମ୍ଭ ମାତ୍ର । ଆଗକୁ ପାକିସ୍ତାନର ବଡ଼ ବଡ଼ ସହରକୁ ଟାର୍ଗେଟ କରାଯିବ ।
ପାକିସ୍ତାନର ଧମକ
ପାକିସ୍ତାନ ରକ୍ଷାମନ୍ତ୍ରୀ ଖ୍ବାଜା ମୋହମ୍ମଦ ଆସିଫ ଶୁକ୍ରବାର କହିଛନ୍ତି, ପାକିସ୍ତାନର ଧର୍ଯ୍ୟ ଉତ୍ତର ଦେଇ ସାରିଛି, ଏବେ ଆଫଗାନିସ୍ତାନ ସହ ଖୋଲାଖୋଲି ଯୁଦ୍ଧର ସ୍ଥିତି । ସୋସିଆଲ ମିଡିଆ ଫ୍ଲାଟଫର୍ମରେ ସେ ଉଲ୍ଲେଖ କରିଛନ୍ତି, ପାକିସ୍ତାନ ଚାହୁଁଛି ନାଟୋ ସେନା ଯିବା ପରେ ଆଫଗାନିସ୍ତାନରେ ଶାନ୍ତି ଫେରୁ । ହେଲେ ଏବେ ଶାନ୍ତି ଭଙ୍ଗ ହୋଇଛି । ତେବେ ଆଫଗାନ ସରକାରଙ୍କ ତରଫରୁ ଏହା ଉପରେ କୌଣସି ବୟାନ ଆସିନାହିଁ ।

