ଚାଷୀଙ୍କ ସ୍ବାର୍ଥରେ ବିଧାନସଭାରେ ବିଜେଡିର ପ୍ରତିବାଦ ସହ କକ୍ଷତ୍ୟାଗ, ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା
ନନ୍ଦିଘୋଷ ବ୍ୟୁରୋ: ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଚାଷୀ ତାତି । ଚାଷୀଙ୍କ ବିରୋଧରେ ବିଜେପି ଷଡ଼ଯନ୍ତ୍ର କରି କଂଗ୍ରେସ କାନ୍ଧରେ ରଖିଛି ଚାଷୀ ବନ୍ଧୁକ । ଯାହାକୁ ନେଇ କଂଗ୍ରେସ ଓ ବିଜେପିକୁ ନିଶାନା କରିଛି ବିଜେଡି । ମଣ୍ଡି ସମସ୍ୟା ନେଇ ବିଜେଡି ପ୍ରତିବାଦ କରିବା ସହ ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟକୁ ନେଇ କକ୍ଷତ୍ୟାଗ କରିଛି । ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା କରି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।
ଚାଷୀଙ୍କ ଧାନ କିଣୁନାହାନ୍ତି ସରକାର । ପ୍ରତାରଣାରେ ପରିଣତ ହୋଇଛି ନିର୍ବାଚନୀ ପ୍ରତିଶୃତି । ଜାରି ରହିଛି ମଣ୍ଡି ସମସ୍ୟା। ୧୦ରୁ ୧୫ କେଜି କଟନୀ ଛଟନୀ ଚାଲିଛି । ଚାଷୀ ହନ୍ତସନ୍ତ ହେଉଥିବା ବେଳେ, ବାଧ୍ୟ ହୋଇ ଧାନର ଅଭାବି ବିକ୍ରୀ କରୁଛି । ବଜେଟ ଅଧିବେଶନର ଆରମ୍ଭରୁ ଚାଷୀଙ୍କ ସ୍ବର ସାଜି ଗୃହରେ ହଟ୍ଟଗୋଳ ଓ ପ୍ରତିବାଦ କରିଛି ବିଜେଡି । ସରକାର ଧାନ ମଣ୍ଡିରୁ ଧାନ ନଉଠାଇବା ଯାଏଁ ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି ଦଳ ।
ସପ୍ତମ ଦିନରେ ବି ବିଧାନସଭାରେ ଦେଖିବାକୁ ମିଳିଥିଲା ବିଜେଡିର ସମାନ ଆଭିମୁଖ୍ୟ । ବିଜେଡି ବିଧାୟକ ପ୍ରତାପ ଦେବ ଅଭିଯୋଗ କରିଛନ୍ତି ଯେ, ଚାଷୀ ପ୍ରସଙ୍ଗରେ ପଳାୟନ ପନ୍ଥୀ ରୂପ ଆପଣାଇଛନ୍ତି ସରକାର । ମୁଲତବୀ ପ୍ରସ୍ତାବ ଆଲୋଚନାରେ ସ୍ପଷ୍ଟୀକରଣ ରଖୁନାହାନ୍ତି ଯୋଗାଣ ମନ୍ତ୍ରୀ । କଂଗ୍ରେସ ସବୁବେଳେ କହୁଛି ବିଜେଡି ସବୁବେଳେ ବିଜେପି ସହିତ ଅଛି । କିନ୍ତୁ ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିଜେପି ସହିତ ହାତ ମିଳାଇଛି କଂଗ୍ରେସ । ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ନଥିବା ବେଳେ, ଆଲୋଚନା କିପରି ହେଲା ବୋଲି ପ୍ରଶ୍ନ କରିଛି ବିଜେଡି ।
ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ଗୋଲାପୀ ଚିତ୍ର ଦେଖାଉଛନ୍ତି । ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟଜନକ । କାହିଁକି ବର୍ଦ୍ଧିତ ଏମଏସପି ଚାଷୀଙ୍କୁ ଦେଲେ ନାହିଁ ସରକାର । ଚାଷୀଙ୍କୁ ଶୋଷଣ କରୁଛି ଡବଲ ଇଞ୍ଜିନ ସରକାର । ଅଖା ବ୍ୟାଗ୍ ନାଁରେ ହଜାର ହଜାର କୋଟି ଟଙ୍କାର ହୋଇଛି ଦୁର୍ନୀତି । ଅଖା ବ୍ୟାଗ୍ ପଇସା କିଛି ସରକାରୀ ଦଳ ନେତା ଓ ସରକାରୀ କର୍ମଚାରୀ ଭାଗ ବାଣ୍ଟି ଖାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ୧୨ ପ୍ରତିଶତ ଅଧିକ ଧାନ କିଣାଯାଇଛି ।
ମଣ୍ଡି ସମସ୍ୟା ନେଇ ସାରା ରାଜ୍ୟରେ ଜାରି ରହିଛି ଚାଷୀ ଅସନ୍ତୋଷ । ଜିଲ୍ଲାସ୍ତରରୁ ରାଜଧାନୀ ଯାଏଁ ଚାଷୀଙ୍କ ସ୍ବର ସାଜି ଲଢ଼େଇ କରୁଛି ବିଜେଡି । କିନ୍ତୁ ବିଧାନସଭାରେ କଂଗ୍ରେସର ନୀରବତାକୁ ନେଇ ବର୍ଷିଛି ବିଜେଡି ।

