ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି । ରାହୁଲଙ୍କ ବିରୋଧରେ ବିଧାନସଭା ନିର୍ବାଚନ ସମୟରେ ମାନହାନୀ ସହ ଜଡ଼ିତ ନିର୍ବାଚନୀ କଣ୍ଟେଣ୍ଟକୁ ନେଇ ଦାୟର ହୋଇଥିବା ଏକ ବ୍ୟକ୍ତିଗତ ଅଭିଯୋଗକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ଜଷ୍ଟିସ ସୁନିଲ ଦତ୍ତ ଯାଦବଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ଏହି ଆଦେଶ ଶୁଣାଣି କରି ରାହୁଲଙ୍କୁ ଆଶ୍ବସ୍ତି ଦେଇଛନ୍ତି । ଏହି ମାମଲାରେ ବିଜେପି ସରକାରଙ୍କୁ ଟାର୍ଗେଟ କରାଯାଇଥିବା ଏକ ‘କରପ୍ସନ ରେଟ କାର୍ଡ’ ବିଜ୍ଞାପନ ସହ ଜଡ଼ିତ ଥିଲା, ଯାହାକୁ ରାହୁଲ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଥିଲେ ।
ଏହି ବିଜ୍ଞାପନ ପରେ ବିଜେପି ସମର୍ଥକ କେଶବ ପ୍ରସାଦ ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ, ତାହାକୁ ନେଇ ତଳ ଅଦାଲତ ସମନ ଜାରି କରିଥିଲେ । ରାହୁଲ ଉକ୍ତ ସମନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତା’ପରେ କୋର୍ଟ ଶୁଣାଣି କରି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଥିଲେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଏହି ପୂରା ବିବାଦ ଆରମ୍ଭ ହୋଇଥିଲା । ସେହି ସମୟରେ ବିଜେପି ସରକାର ବିରୋଧରେ କଂଗ୍ରେସ ଏକ ଆକ୍ରାମକ ବିଜ୍ଞାପନ ଅଭିଯାନ ଚଳାଇଥିଲେ । ଉକ୍ତ ଅଭିଯାନରେ ‘କରପ୍ସନ ରେଟ କାର୍ଡ’ ମାଧ୍ୟମରେ ସରକାରଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଲାଗିଥିଲା । ରାହୁଲ ଉକ୍ତ କଣ୍ଟେଣ୍ଟକୁ ସୋସିଆଲ ମିଡ଼ିଆରେ ପ୍ରଚାର କରିବା ପରେ ତାହାକୁ ମାନହାନୀର ଆଧାର କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।

