ଚଳିତ ଟି-୨୦ ବିଶ୍ବକପ ୨୦୨୬ରେ ବିଜୟରୁ ତା’ର ଯାତ୍ରା ଆରମ୍ଭ କରିଛି ଭାରତୀୟ କ୍ରିକେଟ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ୧୬୧ ରନ୍ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ଆମେରିକା ୮ ଓ୍ବିକେଟ ହରାଇ ୧୩୨ ରନରେ ସୀମିତ ରହିଯାଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୨୯ ରନରେ ଜିତି ନେଇଥିଲା । ଆମେରିକା ପକ୍ଷରୁ ସଞ୍ଜୟ କ୍ରିଷ୍ଣମୂର୍ତ୍ତୀ ୩୭ ରନ୍, ଶୁଭମ ରଞ୍ଜାନେ ୩୭ ରନ ଓ ମିଲିନ୍ଦ କୁମାର ୩୪ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୩ଟି, ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।
ଏହା ପୂବର୍ରୁ ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ସବୁ ହରାଇ ଚାଲିଥିଲା । ଏପରିକି ଦଳୀୟ ସ୍କୋର ୧୦୦ ଟପିବା ନେଇ ଆଶଙ୍କା ଦେଖାଦେଇଥିଲା । ମାତ୍ର ଏଭଳି ସ୍ଥିତିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କର ଚମକ ଦେଖାଇଥିଲେ । ସୂର୍ଯ୍ୟ ଗୋଟିଏ ପଟେ ଧୈର୍ଯ୍ୟର ସହ ଶେଷ ପର୍ଯ୍ୟନ୍ତ ଖେଳି ୪୯ଟି ବଲରୁ ୮୪ ରନ୍ ସଂଗ୍ରହ କରିଥିଲେ । ସେଥିରେ ୪ଟି ଛକା ଓ ୧୦ଟି ଚୌକା ସାମିଲ ଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ଆମେରିକା ଆଗରେ ୯ ଓ୍ବିକେଟ ହରାଇ ୧୬୧ ରନ୍ ସଂଗ୍ରହ କରବାକୁ ସକ୍ଷମ ହୋଇଥିଲା । ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ଟପି ପାରିନଥିଲେ ।
ଆଜି ଆମେରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନର ଅଭିଷେକ ଶର୍ମା ଶୂନ ରନରେ ଆଉଟ ହୋଇ ଭାରତକୁ ବଡ଼ ଝଟକା ଦେଇଥିଲେ । ଏହା ପରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । ମାତ୍ର ଗୋଟିଏ ପଣେ ଖୁଣ୍ଟ ଭଳି ସୂର୍ଯ୍ୟ ଛିଡ଼ା ହୋଇଥିଲେ, ଯାହାକି ଦଳକୁ ଏକ ବଡ଼ ସହାୟ ହୋଇଥିଲା । ଆମେରିକା ପକ୍ଷରୁ ଶାଡଲେ ଭାନ ଶାଲକଓ୍ବିକ ସର୍ବାଧିକ ୪ଟି ଓ୍ବିକେଟ ଓ ହରମିତ ସିଂହ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସେହିପରି ଆଜିର ଅନ୍ୟ ଦୁଇଟି ମ୍ୟାଚ ମଧ୍ୟ ଖେଳାଯାଇଥିଲା । ନେଦରଲାଣ୍ଡସ ବିପକ୍ଷରେ ପାକିସ୍ତାନ ୩ ଓ୍ବିକେଟରେ ବିଜୟୀ ହୋଇଥିବା ବେଳେ ସ୍କଟଲାଣ୍ଡ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ୩୫ ରନରେ ବିଜୟୀ ହୋଇଥିଲା ।

