spot_img

Latest Posts

ଟି-୨୦ ବିଶ୍ବକପ: ନେଦରଲ୍ୟାଣ୍ଡକୁ ହରାଇବାକୁ ଆଣ୍ଠେଇ ପଡ଼ିଲା ପାକିସ୍ତାନ

ଟି-୨୦ ବିଶ୍ବକପ: ନେଦରଲ୍ୟାଣ୍ଡକୁ ହରାଇବାକୁ ଆଣ୍ଠେଇ ପଡ଼ିଲା ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ବକପ ମହାସମର । ଆଉ ୨୦୨୬ ବିଶ୍ବକପ୍ ବିଜୟରୁ ଆରମ୍ଭ କରିଛି ପାକିସ୍ତାନ । ଶ୍ରୀଲଙ୍କାର କଲୋମ୍ବରେ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡକୁ ୩ ଓ୍ବିକେଟରେ ହରାଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୧୪୭ ରନ କରିଥିଲା । ହେଲେ ବିଜୟ ଲକ୍ଷ୍ୟ ହାସଲ କରିବା ପାଇଁ ପାକିସ୍ତାନର ଝାଳ ବାହାରି ଯାଇଥିଲା । ୧୮ ଓଭର ବେଳକୁ ପାକିସ୍ତାନ ହାରିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଥିଲା । ୧୯ତମ ଓଭରରେ ଫହିନ ଅଶରଫ ୩ଟି ଛକା ଓ ଗୋଟିଏ ଚୌକା ମାରି ପୁଣି ଥରେ ପାକିସ୍ତାନକୁ ବିଜୟ ଟ୍ରାକକୁ ନେଇ ଆସିଥିଲେ । ତେବେ ୧୪୮ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପାକିସ୍ତାନକୁ ୨୦ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା ।

ପାକିସ୍ତାନ ଭଲ ଆରମ୍ଭ କରିଥିଲା । ଦଳ ୧୧ ଓଭର ବେଳକୁ ଦୁଇ ଓ୍ବିକେଟ ହରାଇ ୯୮ ରନ୍ କରିଦେଇଥିଲା । ହେଲେ ଏହାପରେ ମାତ୍ର ଦୁଇ ରନରେ ତିନୋଟି ଓ୍ବିକେଟ ପଡ଼ିଯାଇଥିଲା । ଏହିଠାରୁ ନେଦରଲ୍ୟାଣ୍ଡ ବୋଲର ଟ୍ରାକକୁ ଫେରିବା ସହ ପାକିସ୍ତାନ ଟିମର ନିଦ ହଜାଇ ଦେଇଥିଲେ । ୧୧୪ ରନରେ ପହଞ୍ଚିବା ବେଳକୁ ପାକିସ୍ତାନର ୭ଟି ଓ୍ବିକେଟ ପଡ଼ିଯାଇଥିଲା । ଶେଷ ଦୁଇ ଓଭରରେ ବିଜୟ ପାଇଁ ୨୯ ରନର ଆବଶ୍ୟକତା ଥିଲା । ୧୯ତମ ଓଭରର ପ୍ରଥମ ବଲରେ ଫହିନ ଅଶରଫ ଛକ୍କା ମାରିଥିବା ବେଳେ ଦ୍ବିତୀୟ ବଲରେ ତାଙ୍କ ଏକ କ୍ୟାଚ୍ ନେଦରଲ୍ୟାଣ୍ଡ ଫିଲ୍ଡର ଛାଡି ଦେଇଥିଲେ । ଆଉ ଏହିଠାରୁ ପୂରା ଖେଳ ବଦଳି ଯାଇଥିଲା । ଜୀବନ ଦାନ ପାଇବା ପରେ ଉକ୍ତ ଓଭରରେ ଫହିନ ଆଉ ଦୁଇଟି ଛକା ସହ ଏକ ଚୌକା ମାରିବା ସହ ଦଳ ୨୪ ରନ ସଂଗ୍ରହ କରିନେଇଥିଲା । ଶେଷ ଓଭରରେ ୫ ରନର ଆବଶ୍ୟକତା ଥିଲା । ଶେଷ ଓଭରର ତୃତୀୟ ବଲରେ ଫହିନ ଏକ ଚୌକା ମାରି ପାକିସ୍ତାନକୁ ବିଶ୍ବକପର ପ୍ରଥମ ବିଜୟ ଭେଟି ଦେଇଥିଲେ ।

Latest Posts

Don't Miss