ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ମେଘାଳୟର ପୂର୍ବ ଜୟନ୍ତିଆ ହିଲସରେ ବେଆଇନ ରାଟ ହୋଲ ମାଇନ୍ସ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାରେ ବେଆଇନ ଖଣି ପରିଚାଳନା କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ଖଣି ମାଲିକ ବୋଲି ସୂଚନା ରହିଛି ।
ଗତ ୫ ତାରିଖରେ ଡିନାମାଇଟ ବିସ୍ଫୋରଣ କରାଯିବା ସମୟରେ ଏହି ଭୟଙ୍କର ଘଟଣା ଘଟିଥିଲା । ଏନଡିଆରଏଫ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାରେ ୫ ଆହତ ସିଲଚର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟରେ ରଖି ମେଘାଳୟ ହାଇକୋର୍ଚ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ରିପୋର୍ଟ ଦେବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ପାଇଁ ଆଦେଶ ଦିଆଯାଇଛି ।
ମେଘାଳୟରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରାଟ-ହୋଲ ମାଇନିଂ ଅର୍ଥ ସଂକୀର୍ଣ୍ଣ ଗର୍ତ୍ତରେ ପଶି ଶ୍ରମିକମାନେ କୋଇଲା ଉତ୍ତୋଳନ କରିଥାନ୍ତି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୧୪ରେ ମେଘାଳୟରେ ରାଟ୍-ହୋଲ୍ ମାଇନିଂକୁ ପରିବେଶ ପ୍ରଦୂଷଣ କାରଣରୁ ନିଷିଦ୍ଧ କରିଛନ୍ତି । ତଥାପି ଅବୈଧ ଭାବେ ଏହା ଚାଲିଆସୁଛି ।

