ଭୁବନେଶ୍ବର : ମହାନଦୀ ପାଇଁ ମଧ୍ୟସ୍ଥି ସାଜିବ କେନ୍ଦ୍ର ! ସଂସଦୀୟ ବ୍ୟବସ୍ଥାରେ ହେବ ଜଳ ବିବାଦର ସମାଧାନ । ଟ୍ରିବ୍ୟୁନାଲର ଅବଧି ୯ମାସ ବୃଦ୍ଧି ପାଇଁ କେନ୍ଦ୍ରକୁ ଚିଠି । ବିଜେଡି କହିଲା, ମହାନଦୀ ନେଇ ନାହିଁ ଆନ୍ତରିକତା । ଟ୍ରିବ୍ୟୁନାଲ ନୁହେଁ, କେନ୍ଦ୍ର କରିବ ମହାନଦୀ ଦଳ ବିବାଦର ସମାଧାନ । ଛତିଶଗଡ ଓ ଓଡିଶା ମଧ୍ୟରେ ଦୀର୍ଘଦିନ ଧରି ମହାନଦୀ ଜଳ ବିବାଦ ଲାଗିରହିଥିବାବେଳେ ଏଥିରେ ମଧ୍ୟସ୍ଥି ସାଜିବ କେନ୍ଦ୍ର । ଏନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ। ଏହାସହ ଟ୍ରିବ୍ୟୁନାଲର ଅବଧିକୁ ୯ମାସ ବୃଦ୍ଧି କରିବାକୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀଙ୍କ ଯୁକ୍ତି ହେଉଛି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆନ୍ତଃରାଜ୍ୟ ମନ୍ତ୍ରୀ କମିଟିର ଅଧ୍ୟକ୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ।
ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି, ମହାନଦୀ କମିଟି ଫେବୃଆରୀ ପହିଲାରେ ଗସ୍ତ କରିବାର ଥିଲା । ହେଲେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ କମିଟି ସେକଥାକୁ ଭୁଲିଗଲା । ଏଥିରୁ ମହାନଦୀ ନେଇ ସରକାରଙ୍କ ଆନ୍ତରିକତା କେତେ ଜଣା ପଡୁଛି ବୋଲି ବିଜେଡି କହିଛି । କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି । ମହାନଦୀ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ଛତିଶଗଡ଼, ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ଚାଲିଥିବା ବେଳେ ମହାନଦୀ ଜଳ ବିବାଦର ସମାଧାନ ନହେବା ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେଡି ଓ କଂଗ୍ରେସ ଅହରହ ଟାର୍ଗେଟ କରିଆସୁଛନ୍ତି ।

