ଶେରଗଡ : ଗଞ୍ଜାମ ଶେରଗଡ ଥାନା ବନ୍ଧାଗୁଡା- ବାଦଗଡ ଜଙ୍ଗଲ ରାସ୍ତାରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଜବତ ଘଟଣା । ଜଣେ ଯୁବକ ନିଜକୁ ହତ୍ୟାକାରୀ ଦର୍ଶାଇ କରିଛନ୍ତି ଭିଡିଓ ଭାଇରାଲ । ଭିଡିଓରେ ଯୁବକ ଜଣଙ୍କ ନିଜକୁ ଆସିକା ନଳବଣ୍ଟାର କହିବା ସହ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା କହିଛନ୍ତି । ଗତ ଶନିବାର ଦିନ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ଯୁବକ ଜଣଙ୍କ ଆନ୍ଧ୍ରପ୍ରଦେଶ ମୁଥାଙ୍ଗ ଗାଁର ବନ୍ଦାରି ଗୁରୁନାଥ ବୋଲି ଜଣାପଡିଛି । ଯୋଜନାବଦ୍ଧ ଭାବେ ଗୁରୁନାଥଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଶବକୁ ପେଟ୍ରୋଲ୍ ଢାଳି ଜାଳି ଦିଆଯାଇଥିବା ପୋଲିସ ପକ୍ଷରୁ ଜଣାପଡିଛି । ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ନିଜକୁ ମୁଖ୍ୟ ଅଭିଯୁକ୍ତ କହି ଯୁବକର ଭିଡିଓ ଭାଇରାଲ ହେବା ପୋଲିସର ଚିନ୍ତା ବଢାଇଛି । ଯୁବକ ଜଣଙ୍କ ଭିଡିଓରେ କହିଛି କି ଏକ ଗଞ୍ଜେଇ ଚାଲାଣ ମାମଲାରେ ଗୁରୁନାଥ ତାଙ୍କୁ ଫସାଇ ଜେଲ୍ ପଠାଇ ଦେଇଥିଲେ । ପରେ ତାଙ୍କୁ ଆଇନଗତ ସହାୟତା ଦେଇ ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା । ଗତ ୩୦ ତାରିଖରେ ଗୁରୁନାଥ ଶେରଗଡ଼ ଅଞ୍ଚଳକୁ ଆସିଥିବା ବେଳେ ତାଙ୍କୁ ଆସିକାର ଯୁବକ ଜଣଙ୍କ ହତ୍ୟା କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅନ୍ୟପଟେ ଭାଇରାଲ୍ ଭିଡ଼ିଓରେ ସତ୍ୟତା ଅଛି କି ନାହିଁ ? ଯଦି ସତ୍ୟତା ଅଛି ଉକ୍ତ ଯୁବକକୁ ପୋଲିସକୁ ଗିରଫ କରିଛି କି ନାହିଁ ? ନା ଘଟଣା ପଛରେ ବଡ଼ ଷଡଯନ୍ତ୍ର ରହିଛି ? ସେନେଇ ପୋଲିସ ଏଯାଏଁ ମୁହଁ ଖୋଲିନାହିଁ । ଭିଡିଓ ମାଧ୍ୟମରେ ଯୁବକ ଜଣଙ୍କ କଣ ଚାହୁଁଛନ୍ତି ତାହା ବି ସ୍ପଷ୍ଟ ହେଉନାହିଁ । ଅନ୍ୟପଟେ ହତ୍ୟାର ଶିକାର ହୋଇଥିବା ଗୁରୁନାଥ ଲେବର୍ କଣ୍ଟ୍ରାକ୍ଟର ଭାବେ କାମ କରୁଥିବାବେଳେ ଶେରଗଡ଼ ଅଞ୍ଚଳରୁ ଶ୍ରମିକ ନେଇ କାମରେ ନିୟୋଜିତ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ଖୁବଶୀଘ୍ର ପୂରା ଘଟଣା ଉପରୁ ପରଦା ହଟିବ ବୋଲି କହିଛନ୍ତି ଆସିକା SDPO

