ପୁରୀ : ପୁରୀ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କରିଥିଲେ ମହାମହିମ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବପ୍ରବଣ ହୋଇଥିଲେ ରାଷ୍ଟ୍ରପତି । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ ସାନିଧ୍ୟ ମଧ୍ୟ ସେ ନେଇଥିଲେ। ପ୍ରାୟ ୪୫ ମିନିଟ୍ କାଳ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲାଗିଛି ବାନା। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ବେଦ ଧ୍ଵନି ହୋଇଥିବାବେଳେ ଫେରିବା ବାଟରେ ବାଇଶି ପାହାଚରେ ସେ କିଛି ସମୟ ବସିଥିଲେ। ସେବାୟତମାନେ ତାଙ୍କୁ ଦେଇଥିଲେ କର ପଲ୍ଲବ ଉପହାର।
ମହାପ୍ରଭୁଙ୍କ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶର ପଟ୍ଟ ଚିତ୍ର ଉପହାର ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ରାଷ୍ଟ୍ରପତିଙ୍କୁ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ ମୁଖ୍ୟ ପ୍ରଶାସକ । କୌଳିକ ପଣ୍ଡା ଦେଇଥିଲେ ମହାପ୍ରଭୁଙ୍କ ଫଟୋ ଚିତ୍ର ଉପହାର। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।ପୁରୀ ଲୋକ ଭବନ ଠାରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ପିଣ୍ଡ ଦାନ ପାଇଁ ବାହାରିଥିଲେ। ରାଷ୍ଟ୍ରପତିଙ୍କ କାରକେଡ଼ ଭିଆପି ରୋଡ ହୋଇ ଡାକ୍ତରଖାନା ଛକ ଦେଇ ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ ପର୍ଯ୍ୟନ୍ତ ଆସିବା ପରେ ସେଠାରୁ ସୁରକ୍ଷା ମଧ୍ୟରେ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇଥିଲା। ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

