spot_img

Latest Posts

ଚାକିରି ପ୍ରଲୋଭନ ଦେଖାଇ ବିଜେପି ବିଧାୟକ ପ୍ରାର୍ଥୀ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ବର୍ଷିଲା ବିଜେଡି

ଚାକିରି ପ୍ରଲୋଭନ ଦେଖାଇ ବିଜେପି ବିଧାୟକ ପ୍ରାର୍ଥୀ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବଢିବାରେ ଲାଗିଛି ସରକାରୀ ଦଳ ବିଜେପି ନେତାଙ୍କ ଅମାନୁଷିକ କାମ । ବିଜେପି ସରକାର ସମୟରେ ମହିଳା ଯେ ଅସୁରକ୍ଷିତ, ତାହା ଏଥର ପ୍ରମାଣିତ କରିଛନ୍ତି ଖୋଦ ଗତ ନିର୍ବାଚନର ଦଶପଲ୍ଲା ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକ । ଜଣେ ବିବାହିତ ଦଳିତ ମହିଳାଙ୍କୁ ପ୍ରଥମେ ଚାକିରି ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତ ମହିଳାଙ୍କ ସ୍ବାମୀ ରାଘବଙ୍କ ନାଁରେ ବାଣିଗୋଚ୍ଛା ଥାନାରେ ଫେରାଦ ହୋଇଛନ୍ତି । ହେଲେ ଏଯାଏଁ ସରକାରୀ ଦଳର ଏହି ନେତାଙ୍କୁ କାବୁ କରିବାରେ ପୋଲିସ ଅକ୍ଷମତା ଦେଖାଇଥିବାରୁ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ଗତ ନିର୍ବାଚନରେ ଦଶପଲ୍ଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରାଘବ ମଲ୍ଲିକଙ୍କ ନାଁରେ ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା । ଏ ନେଇ ଦଶପଲ୍ଲା ବାଣିଗୋଚ୍ଛା ଥାନାରେ ଏତଲା ଦେଇଛନ୍ତି ମହିଳାଙ୍କ ସ୍ବାମୀ । ଚଢେୟାପଲ୍ଲୀ ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ରାଘବ ହୋମଗାର୍ଡରେ ଚାକିରିର ମିଛ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇବା ଅଭିଯୋଗ ହୋଇଛି । ପ୍ରଥମେ ତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଘରେ ଛାଡ଼ି ଦେଇଥିଲେ ରାଘବ । ହେଲେ ପରେ ସଂପୃକ୍ତ ମହିଳା ଓ ତାଙ୍କ ଛୁଆଙ୍କୁ ଅପହରଣ କରି ନେଇ କେଉଁଠି ରଖିଛନ୍ତି ? ମହିଳାଙ୍କ ଆପତ୍ତି ଜନକ ଭିଡିଓ, ଫଟୋ ରଖି ପ୍ରଘଟ ନକରିବାକୁ ରାଘବ ବାରମ୍ବାର ଧମକଚମକ ଦେଉଥିଲେ । ଏଥିସହ ମହିଳାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବାକୁ ବି ଧମକ ଦେଉଥିଲେ । ନିଜ ସ୍ତ୍ରୀ ଓ ଛୁଆ ବଞ୍ଚିଛନ୍ତି ନା ନାହିଁ, ସେ ନେଇ ସ୍ବାମୀ ସନ୍ଦେହ କରୁଛନ୍ତି । ପୋଲିସ ପାଖରେ ଫେରାଦ ହୋଇଛନ୍ତି । ହେଲେ ଘଟଣାର ମାସକ ପରେ ବି ରାଘବଙ୍କ ବିରୋଧରେ ନା ନିଆଯାଇଛି କାର୍ଯ୍ୟାନୁଷ୍ଠାନ, ନା ମହିଳା ଓ ଛୁଆଙ୍କୁ ଖୋଜିବାର ଆନ୍ତରିକତା ଦେଖାଇଛି ପୋଲିସ । ସରକାରୀ ଦଳର ଚାପରେ ପୋଲିସ ଚେପା ହୋଇଯାଇଥିବାରୁ ଉଦବେଗ ପ୍ରକାଶ ପାଇଛି । ଖବର ପ୍ରଘଟ ହେବା ପରେ ବିଜେପି ନେତା ରାଘବ ମଲ୍ଲିକ ଫେରାର ଥିବା ସୂଚନା ମିଳିଛି ।

ଏହି ଲୋମହର୍ଷଣକରୀ ଘଟଣା ପରେ ପୁଣି ଥରେ ବିଜେପି ସରକାର ସମୟର ମହିଳା ବିରୋଧୀ ହିଂସାର ବଡ଼ ପ୍ରମାଣ ମିଳିଛି । ସରକାରୀ ଦଳ ନେତାଙ୍କୁ ଏତେ ଛାଡ଼ କାହିଁକି ? ଖଣ୍ଡପଡା ବିଧାୟକ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ବି ହେଲାଣି । ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ କଲେ ବିଜେପି ପ୍ରାର୍ଥୀ । ହେଲେ ସରକାରୀ ଦଳ ଉପରେ ହାତ ଦେବାକୁ ପୋଲିସ ଭୟ କରୁଥିବାରୁ ବିଜେଡି ଆନ୍ଦୋଳନର ଚେତାବନୀ ଦେଇଛି । ଯେଉଁପରି ଭାବେ ବିଜେପି ନେତାଙ୍କ ଆମାନୁଷିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଛି, ଲୋକଙ୍କ ଆଇନ କାନୁନ ପ୍ରତି ଭୟ ରହିବ କି ବୋଲି ବିଜେଡି ପ୍ରଶ୍ନ କରିଛି ।

ଚାଷୀ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ସରକାରଙ୍କୁ ଘେରିବ ବିଜୁ ଜନତା ଦଳ । ଆସନ୍ତା ଫେବୃଆରୀ ୨ରୁ ୧୭ ଯାଏଁ ସବୁ ଜିଲ୍ଲାରେ ଆନ୍ଦୋଳନ ହେବ । ସେହିପରି ଫେବୃଆରୀ ୨୪ରେ ଭୁବନେଶ୍ବରରେ ବିଶାଳ ଜନସମାବେଶ ଜରିଆରେ ଚାଷୀ ଓ ବିପର୍ଯ୍ୟସ୍ତ ଆଇନ ଶୃଂଖଳା ପରିସ୍ଥିତିକୁ ନେଇ ସରକାରଙ୍କ ବିରୋଧରେ ବିଜେଡି ଦେବ ରଣହୁଙ୍କାର । ତେବେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ନ ଭାଙ୍ଗିଲେ, ଶାନ୍ତିପ୍ରିୟ ଓଡ଼ିଶା ବିଶ୍ବ ଦରବାରରେ ଆହୁରି ନିନ୍ଦା ହିଁ ସହିବ ।

Latest Posts

Don't Miss